ମୁମ୍ବାଇ: ଲୋକସଭା ନିର୍ବାଚନ ସମୟରେ ମହାରାଷ୍ଟ୍ରର ବାରାମତି ଆସନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। କାରଣ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦୁଇ ଦଳ ମଧ୍ୟରେ ଏକ ବଡ଼ ଧରଣର ଆଭ୍ୟନ୍ତରୀଣ ବିବାଦ ଲାଗି ରହିଥିଲା। ଏହି ଆସନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀ ଥିଲେ।

Advertisment

ଅଜିତ ପାୱାର ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ କରିଥିବାବେଳେ ଶରଦ ପାୱାର ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ନିର୍ବାଚନ ଫଳାଫଳ ଅଜିତ ପାୱାରଙ୍କୁ ଏକ ବଡ଼ ଝଟକା ଦେଇଥିଲା ଏବଂ କ୍ରମାଗତ ଭାବେ ବାରାମତି ଆସନ ଜିତିଥିବା ସୁପ୍ରିୟା ସୁଲେ ଏହି ଆସନ ଜିତିଥିଲେ।

ଏହି ନିର୍ବାଚନରେ ​​ପରାଜୟ ଅଜିତ ପାୱାରଙ୍କ ରାଜନୈତିକ ସ୍ଥିତିକୁ ଦୁର୍ବଳ କରିଦେଇଥିଲା ଏବଂ ସେ ରାଜ୍ୟରେ କେବଳ ଗୋଟିଏ ଆସନ ଜିତିଥିଲେ। ଅଜିତ ପାୱାର ବାରାମତିରେ ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତି ତାଙ୍କର ଏକ ବଡ଼ ଭୁଲ୍ ହୋଇଥିଲା ବୋଲି ସ୍ବୀକାର କହିଛନ୍ତି। ଏହି ପଦକ୍ଷେପ ତ୍ରୁଟିଯୁକ୍ତ ଥିବା ସେ ମାନିଛନ୍ତି।

ସେ ମଙ୍ଗଳବାର ଦିନ ସ୍ୱୀକାର କରିଛନ୍ତି ତାଙ୍କ ଭଉଣୀଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଉଚିତ୍ ନ ଥିଲା। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ସଂସଦୀୟ ବୋର୍ଡ ଏନେଇ ଶେଷରେ ନିଷ୍ପତ୍ତି ନେଇଥିବାରୁ ଏହି ନିଷ୍ପତ୍ତି ବଦଳାଇବା ସମ୍ଭବ ନ ଥିଲା।

ଏକ କାର୍ଯ୍ୟକ୍ରମରେ ପଚରାଯାଇଥିବା ପ୍ରଶ୍ନ ଉପରେ ଅଜିତ ପାୱାର ରାଜନୀତି ଏବଂ ପାରିବାରିକ ସମ୍ପର୍କ ମଧ୍ୟରେ ଭିନ୍ନ କରି କହିଥିଲେ ଯେ ରାଜନୀତିର ନିଜସ୍ୱ ସ୍ଥାନ ଅଛି ଏବଂ ଏହାକୁ ଘର ଭିତରକୁ ଆଣିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ରକ୍ଷାବନ୍ଧନ ସମୟରେ ବାରାମତିରେ ରୁହନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କ ଭଉଣୀ ସୁପ୍ରିୟା ସୁଲେଙ୍କୁ ଭେଟିବେ।

ସୂଚନାଯୋଗ୍ୟ, ବାରାମତି ଲୋକସଭା ନିର୍ବାଚନମଣ୍ଡଳୀରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ନିର୍ବାଚନକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଦେଇଥିଲା। ଯଦିଓ ସୁପ୍ରିୟା ସୁଲେ ଏବଂ ସୁନେତ୍ରା ପାୱାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଅତ୍ୟନ୍ତ କଠିନ ଥିଲା, ଶେଷରେ ଶରଦ ପାୱାରଙ୍କ ନେତୃତ୍ୱରେ ସେମାନଙ୍କ ଦଳ ବାରାମତି ସମେତ ମହାରାଷ୍ଟ୍ରରେ ଅନେକ ଆସନ ଜିତିଥିଲା।