ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ: ଅଜିତ ପାଓ୍ଵାର୍‌ଙ୍କୁ ଅର୍ଥ ଏବଂ ଆଦିତ୍ୟ ଠାକ୍‌ରେଙ୍କୁ ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପ୍ରସ୍ତାବିତ ମନ୍ତ୍ରୀମଣ୍ଡଳର ବିଭାଗ ଆବଣ୍ଟନକୁ ରବିବାର ଦିନ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରି ଅନୁମୋଦନ କରିଥିବା କଥା ରାଜଭବନର ଜଣେ ମୁଖପାତ୍ର କହିଛନ୍ତି।

ବିଭାଗ ଆବଣ୍ଟନରେ ଶରଦ ପାଓ୍ଵାର୍‌ଙ୍କ ନେତୃତ୍ୱାଧୀନ ‘ଏନ୍‌ସିପି’ ମହାରାଷ୍ଟ୍ର ସରକାରଙ୍କର ଅଧିକଂଶ ଶୀର୍ଷସ୍ତରୀୟ ମନ୍ତ୍ରାଳୟ ପାଇଛି।
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ଅଜିତ ପାଓ୍ଵାର୍‌ ଅର୍ଥ ଏବଂ ଯୋଜନା ବିଭାଗ ପାଇଥିବା ବେଳେ ତାଙ୍କ ଦଳର ଅନ୍ୟତମ ସଦସ୍ୟ ଅନୀଲ ଦେଶମୁଖ ରାଜ୍ୟର ନୂତନ ଗୃହମନ୍ତ୍ରୀ ହୋଇଛନ୍ତି।

ଏହାଛଡ଼ା ପ୍ରଥମ ଥର ବିଧାୟକ ହୋଇଥିବା ଶିବସେନାର ବିଧାୟକ ଆଦିତ୍ୟ ଠାକ୍‌ରେଙ୍କୁ ପରିବେଶ, ପର୍ଯ୍ୟଟନ ଏବଂ ପ୍ରୋଟୋକଲ୍‌ ବିଭାଗ ଦିଆଯାଇଛି।

Image Source: India Today

ଶିବସେନା ନେତା ଏକନାଥ ସିନ୍ଧେଙ୍କୁ ନଗରାଞ୍ଚଳ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

କଂଗ୍ରେସ ନେତା ବାଲାସାହେବ ଥୋରଟ୍‌ଙ୍କୁ ରାଜସ୍ୱ ବିଭାଗ ମିଳିଥିବା ବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଓ୍ଵନଙ୍କୁ ସାର୍ବଜନୀନ ନିର୍ମାଣ ବିଭାଗ ଦିଆଯାଇଛି।

ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସୂଚନା ଓ ଲୋକସମ୍ପର୍କ, ଆଇନ ଓ ବିଚାରବିଭାଗ ଏବଂ ଅନ୍ୟାନ୍ୟ ବିଭାଗଗୁଡ଼ିକ ଅନ୍ୟ କୌଣସି ମନ୍ତ୍ରୀମାନଙ୍କୁ ଦିଆ ନ ଯାଇ ଥିବାରୁ ସେ ସବୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦାୟିତ୍ୱରେ ରହିବ।

ସମ୍ବନ୍ଧିତ ଖବର