ନୂଆଦିଲ୍ଲୀ: ମହାରାଷ୍ଟ୍ରର ନବନିଯୁୁକ୍ତ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ପ୍ରଫୁଲ ପଟେଲ ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମହାରାଷ୍ଟ୍ରର ରାଜନୈତିକ ହଟଚମଟ ଆସି ଜାତୀୟ ରାଜଧାନୀରେ ପହଞ୍ଚିଛି। ଦୁହେଁ ଆଜି, ବୁଧବାର (ଜୁଲାଇ ୧୨) ସନ୍ଧ୍ୟାରେ ମିଳିତ ଭାବେ ବିଜେପିର ତୁଙ୍ଗ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ନୂଆଦିଲ୍ଲୀ ଅଭିମୁଖେ ଆସୁଛନ୍ତି।
ଏନସିପି ନେତା ଅଜିତ ପାୱାର ଶରଦ ପାୱାରଙ୍କ ନେତୃତ୍ୱାଧୀନ ଦଳକୁ ବିଭାଜିତ କରି ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେବା ପରେ ମହାରାଷ୍ଟ୍ରର ସମସ୍ତ ଶୀର୍ଷ ନେତାଙ୍କ ଏହା ହେଉଛି ପ୍ରଥମ ନୂଆଦିଲ୍ଲୀ ଗସ୍ତ। ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କ ସମେତ ନବନିଯୁକ୍ତ ମନ୍ତ୍ରୀଙ୍କୁ ଦିଆଯିବାକୁ ଥିବା ମନ୍ତ୍ରୀ ପଦକୁ ନେଇ ନେତାମାନେ ଆଲୋଚନା କରିପାରନ୍ତି।
#WATCH | Maharashtra Deputy CM Ajit Pawar and Praful Patel reach Delhi airport. pic.twitter.com/TC4KvN2ezo
— ANI (@ANI) July 12, 2023
ଏନସିପି ନେତା ତଥା ଶରଦ ପାୱାରଙ୍କ ପୂର୍ବତନ ସହଯୋଗୀ ପ୍ରଫୁଲ୍ଲ ପଟେଲ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ସମ୍ପର୍କରେ କହିଛନ୍ତି, ସରକାର ଗଠନ ପରେ ଅଜିତ ପାୱାର (ଦାଦା) ଏବଂ ମୁଁ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛୁ। କିନ୍ତୁ ଆଜି ଆମେ ଅମିତ ଶାହାଙ୍କ ସହ ଆନୁଷ୍ଠାନିକ ବୈଠକ କରିବୁ।
ଏନସିପି ଓ ବିଜେପି ମଧ୍ୟରେ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ବିବାଦକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କରି ସେ କହିଛନ୍ତି, ବିଭାଗ ବଣ୍ଟନକୁ ନେଇ ଆମ ମଧ୍ୟରେ କୌଣସି ବିବାଦ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଆଲୋଚନା କରାଯାଇ ସବୁ କିଛି ସ୍ଥିର ହୋଇଛି। କିଛି ମନ୍ତ୍ରାଳୟ ସିନ୍ଦେଙ୍କ ପାଖରେ ଥିବା ବେଳେ କିଛି ମନ୍ତ୍ରାଳୟ ବିଜେପି ପାଖରେ ରହିଛି। ଆମକୁ କେଉଁ ମନ୍ତ୍ରାଳୟ ମିଳିବ ସେ ନେଇ ଆଲୋଚନା ଚାଲିଛି ବୋଲି ପଟେଲ କହିଛନ୍ତି।
ଏନସିପିକୁ କେନ୍ଦ୍ରରେ ମନ୍ତ୍ରାଳୟ ମିଳିବା ସମ୍ପର୍କରେ ପଟେଲ କହିଛନ୍ତି, ଏ ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। ଏନଡିଏ ବୈଠକ ପାଇଁ ଅଜିତ ପାୱାର ଏବଂ ମୋତେ ନିମନ୍ତ୍ରଣ କରାଯାଇଛି। ଜୁଲାଇ ୧୮ ତାରିଖରେ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବୁ।