ଅଜିତ ପାୱାରଙ୍କ ଇସ୍ତଫାକୁ ନେଇ ଏନ୍‌ସିପିରେ ଝଡ଼

ମୁମ୍ବାଇ : ଏନ୍‌ସିପି ନେତା ଅଜିତ ପାୱାର ଗତକାଲି ମହାରାଷ୍ଟ୍ର ବିଧାନସଭା ବିଧାୟକ ପଦରୁ ଇସ୍ତଫା ଦେବାପରେ ଏହାକୁ ଏନ୍‌ସିପିରେ ଝଡ଼ ସୃଷ୍ଟି ହୋଇଛି। କର୍ମୀ ମହଲରେ ପ୍ରବଳ ଅସନ୍ତୋଷ ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବାବେଳେ ଅଜିତ ପାୱାରଙ୍କ ଏହି ନିଷ୍ପତ୍ତି ଦଳୀୟ ନେତାମାନଙ୍କୁ ନିରାଶ କରିଛି। ପାୱାର ପରିବାରରେ କୌଣସି ପ୍ରକାର କଳହ ପାଇଁ ଅଜିତ ପାୱାର ଏହି ନିଷ୍ପତ୍ତି ନେଇଛନ୍ତି କି ବୋଲି ପ୍ରଶ୍ନ ଉଠିବାପରେ ପାୱାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସବୁକଥା ସ୍ପଷ୍ଟ କରିଛନ୍ତି। ମୁମ୍ବାଇରେ ୱାଇ ବି ଚବନ ସେଣ୍ଟରରେ ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ପାୱାର କହିଛନ୍ତି, କୌଣସି କାରଣ ନଥାଇ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଶରଦ ପାୱାରଙ୍କ ନାମ ଉଠିବା ଏବଂ ଏହି ବୟସରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ତାଙ୍କୁ ଖୁବ୍‌ କ‌ଷ୍ଟ ଦେଇଛି। ସେଥିଲାଗି ସେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଶରଦ ପାୱାର କେବେ ବି ଏହି ବ୍ୟାଙ୍କ୍‌ର ନିର୍ଦ୍ଦେଶକ ନଥିଲେ। ମୋ ପାଇଁ ତାଙ୍କ ମାନହାନି ହୋଇଛି, ତେଣୁ ଏଥିପାଇଁ ମୁଁ ଇସ୍ତଫା ଦେଇଛି ବୋଲି କହି ଅଜିତ ପାୱାର କାନ୍ଦି ପକାଇଥିଲେ। ତେବେ ଏହି ମାମଲାରେ ଇଡି ତଦନ୍ତ ପଛରେ ରାଜନୈତିକ ଷଡ଼ଯନ୍ତ୍ର ଅଛି ବୋଲି ପାୱାର ଦାବି କରିଛନ୍ତି ଏବଂ ଏଥିସହ ଏତଲା ରୁଜୁ ହେବାର ସମୟ ଉପ‌ରେ ସେ ପ୍ରଶ୍ନ କରିଛନ୍ତି। ଆଗକୁ ନିର୍ବାଚନ ଥିବା‌ବେଳେ ୨୦୧୦ ମସିହାର ଏହି ମାମଲା ଉପରେ ଏବେ ତଦନ୍ତ ଆରମ୍ଭ ହେବା ନେଇ ସେ ପ୍ରଶ୍ନ କରିଛନ୍ତି। ଅଜିତ ପାୱାର କହିଛନ୍ତି, ତାଙ୍କର ନିଷ୍ପତ୍ତି ଯଦି ଏନ୍‌ସିପି କର୍ମୀଙ୍କ ଭାବନାକୁ ଆଘାତ ଦେଇଥାଏ ତେବେ ଏଥିପାଇଁ ସେ କ୍ଷମା ମାଗୁଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ପାୱାର ତାଙ୍କ ବାସଭବନରେ ଦଳର ମୁଖ୍ୟ ଏବଂ ଦାଦା ଶରଦ ପାୱାରଙ୍କୁ ଭେଟିଥିଲେ।

ଉଲ୍ଲେଖଯୋଗ୍ୟ ୨୦୦୧ରୁ ୨୦୧୧ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ୍‌ରେ ୨୫,୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏନ୍‌ସିପି ମୁଖ୍ୟ ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାର ଏବଂ ଅନ୍ୟ ୭୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର