ମୁମ୍ବାଇ : ମହାରାଷ୍ଟ୍ର ଦୁର୍ନୀତି ନିବାରଣ ଶାଖା (ଏସିବି) ପକ୍ଷରୁ ପୂର୍ବ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନ୍ଚିଟ୍ ଦିଆଯାଇଛି ବୋଲି ପ୍ରଚାର ହୋଇଥିବା ଖବର ମିଛ ଥିଲା ବୋଲି ଜଣାପଡ଼ିବା ପରେ ଏହି ମାମଲା ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଅଜିତ ପାୱାରଙ୍କ ବିରୋଧରେ କୌଣସି ଗୋଟିଏ ମାମଲା ମଧ୍ୟ ବନ୍ଦ ହୋଇନାହିଁ ବୋଲି ଏସିବି ସ୍ପଷ୍ଟ କରିଥିବା ବେଳେ ତାଙ୍କ ବିରୋଧରେ ଥିବା ୧୧ଟି ଏଫ୍ଆଇର ଆଧାରରେ ଯାଞ୍ଚ ଚାଲିଥିବା ସ୍ପଷ୍ଟ କରାଯାଇଛି। ଜଳସେଚନ ଦୁର୍ନୀତି ମାମଲାର ପ୍ରାୟ ୩ ହଜାର ଟେଣ୍ଡରର ଯାଞ୍ଚ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି।
୧୯୯୯ରୁ ୨୦୦୯ ମଧ୍ୟରେ ଏନ୍ସିପି ନେତା ଅଜିତ ପାୱାର ରାଜ୍ୟ ଜଳସେଚନ ମନ୍ତ୍ରୀ ଥିବା ବେଳେ ତାଙ୍କ ବିଭାଗରେ ଏକ ବିଶାଳ ଦୁର୍ନୀତି ସାମ୍ନାକୁ ଆସିଥିଲା। ୨୫ ଏପ୍ରିଲ ୨୦୦୮ରେ ପ୍ରାୟ ୩ ହଜାର ଟେଣ୍ଡର ପ୍ରକ୍ରିୟା ବେଆଇନ ଭାବେ କାର୍ଯ୍ୟକାରୀ ହୋଇଥିବା ଏବଂ କାମ ନକରି ହଜାର ହଜାର କୋଟି ଟଙ୍କା ହରିଲୁଟ୍ ହୋଇଥିବା ଜଣେ ବିଭାଗୀୟ ସଚିବ ତଥ୍ୟ ପ୍ରଘଟ କରିଥିଲେ। ପ୍ରାୟ ୩୫ ହଜାର କୋଟି ଟଙ୍କାର ୧୨ଟି ବଡ଼ ପ୍ରକଳ୍ପରୁ ବିପୁଳ ଅର୍ଥ ଦୁର୍ନୀତିପୂର୍ଣ୍ଣ ଉପାୟରେ ରାଜନେତା, ଠିକାଦାର ଏବଂ କିଛି ଅଫିସରଙ୍କ ପକେଟ୍କୁ ଯାଇଥିବା ଜଣାପଡ଼ିଥିଲା। ତେବେ ଏହି ଦୁର୍ନୀତି ସଂପର୍କରେ ପ୍ରଥମେ ତଥ୍ୟ ରଖି ଏକ ସାର୍କୁଲାର ଜାରି କରିଥିବା ବିଭାଗୀୟ ସଚିବ ଟି ଏନ୍ ମୁଣ୍ଡେଙ୍କୁ ଅଜିତ ପାୱାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଧମକପୂର୍ଣ୍ଣ ପତ୍ର ଜାରି କରାଯାଇ ମନ୍ତ୍ରୀଙ୍କ ବିନା ମଂଜୁରିରେ ସେ କୌଣସି ସାର୍କୁଲାର ଜାରି କରିପାରିବେ ନାହିଁ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଏ ବାବଦ ଦୁର୍ନୀତିର ବହୁ ତଥ୍ୟ ଲୋକଲୋଚନକୁ ଆସିଥିଲା।
୨୦୧୨ରେ ମୁଖ୍ୟଯନ୍ତ୍ରୀ ବିଜୟ ପାନ୍ଧାରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଳସେଚନ ବିଭାଗରେ ଲଗାମଛଡ଼ା ଦୁର୍ନୀତି ନେଇ ଅନେକ ତଥ୍ୟ ରଖିଥିଲେ। ଏହି ଦୁର୍ନୀତିରେ ଅଜିତ ପାୱାର ସିଧାସଳଖ ସଂପୃକ୍ତ ଥିବା ପାନ୍ଧାରେ ଅଭିଯୋଗ କରିଥିଲେ। ନଭେମ୍ବର ୨୦୧୨ରେ ତତ୍କାଳୀନ ମହାରାଷ୍ଟ୍ର ସରକାର ଅଜିତ ପାୱାରଙ୍କୁ ଏହି ଦୁର୍ନୀତି ମାମଲାରେ କ୍ଲିନ୍ଚିଟ୍ ଦେଇଥିଲେ ମଧ୍ୟ ତାଙ୍କ ବିରୋଧରେ ୨୦ଟି ଏଫ୍ଆଇଆର୍ ରୁଜୁ ହୋଇଥିଲା ଏବଂ ସେଥିରୁ ୧୧ଟି ମାମଲାରେ ତଦନ୍ତ ଚାଲିଛି। ୧୨ଟି ଜଳସେଚନ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିରେ ଅଜିତ ପାୱାର ସିଧାସଳଖ ସଂପୃକ୍ତ ଥିବା ଅଭିଯୋଗ କରି ଅନେକ ଏନ୍ଜିଓ ଏବଂ କୃଷକ ସଂଗଠନ ମାମଲା ରୁଜୁ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Ajit-Pawar-6-696x364.jpg)