ମୁମ୍ବାଇ: ଅଜିତ ଅନନ୍ତରାଓ ପାୱାର ତାଙ୍କ ସମର୍ଥକମାନଙ୍କ ଗହଣରେ ‘ଦାଦା’ ଭାବେ ଜଣାଶୁଣା। ଅଜିତ ଯଦି ତାଙ୍କ ବାପାଙ୍କ ପଦାଙ୍କ ଅନୁକରଣ କରିଥାନ୍ତେ ତେବେ ସେ ବଲିଉଡ୍ରେ ସୁନାମ ଅର୍ଜିଥାନ୍ତେ । କିନ୍ତୁ ଅଜିତ ପାୱାର ତାଙ୍କ ଦାଦା ତଥା ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ପଦାଙ୍କ ଅନୁକରଣ କରିଛନ୍ତି। ଦାଦାଙ୍କ ପଦାଙ୍କ ଅନୁକରଣ କରି ମଧ୍ୟ ଅଜିତ ଆଦୌ ପଛରେ ନାହାନ୍ତି। ଅଜିତ ପାୱାର ଏବେ ଜଣେ ପ୍ରଭାବଶାଳୀ ରାଜନେତା। ସେ ତାଙ୍କ ରାଜନୈତିକ କ୍ୟାରିୟର୍ରେ ଦ୍ବିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଅଜିତ ପାୱାରଙ୍କ ବାପା ଅନନ୍ତରାଓ ଶରଦ ପାୱାରଙ୍କ ବଡ଼ ଭାଇ। ସେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଭି ଶାନ୍ତାରାମଙ୍କ ପାଇଁ କାମ କରିଛନ୍ତି। ଜୁନିଅର ପାୱାରଙ୍କ ଲକ୍ଷ୍ୟ ଥିଲା ରାଜନୀତିରେ। ୬୦ ବର୍ଷୀୟ ଅଜିତ ପାୱାର ଗତ ଅକ୍ଟୋବରରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବାରମତିରୁ ନିର୍ବାଚନ ଜିତିଥିଲେ। ତେବେ ଏହା ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଅଜିତ ପାୱାରଙ୍କ ନାମ ଉଠିବାରୁ ସେ ବାରମତି ଆସନରୁ ଇସ୍ତଫା ଦେଇଥିଲେ। ଶରଦ ପାୱାର ଏନ୍ସିପି ପ୍ରତିଷ୍ଠା କରିଛନ୍ତି ଏବଂ ସେ ହେଉଛନ୍ତି ଏନ୍ସିପିର ସୁପ୍ରିମୋ। କିନ୍ତୁ ଦଳର ମହାରାଷ୍ଟ୍ର ବିଭାଗରେ ଅଜିତ ପାୱାରଙ୍କ ଶାସନ ହିଁ ଚାଲିଛି ଏବଂ ସେ ଏନ୍ସିପିର ଶୀର୍ଷ ନେତା ଭାବେ ମଧ୍ୟ ଜଣାଶୁଣା। ୧୯୯୧ରେ ଅଜିତ ପାୱାର ବାରମତିରୁ ସାଂସଦ ନିର୍ବାଚିତ ହେଲେ। କିନ୍ତୁ ତାଙ୍କ ଦାଦା ନରସିଂହ ରାଓ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ ହେବାପରେ ସେ ୬ ମାସ ପରେ ଏହି ଆସନ ଛାଡ଼ି ଦେଇଥିଲେ। ଏହାପରେ ସେ ବାରମତିରୁ ବିଧାନସଭା ନିର୍ବାଚନ ଜିତିଲେ। ତେବେ ଶରଦ ପାୱାର କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବାବେଳେ ଅଜିତ ପାୱାର ବିଭିନ୍ନ ବିଭାଗରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୯ରେ ଶରଦ ପାୱାର କଂଗ୍ରେସରୁ ଓହରି ଯାଇଥିଲେ ଏବଂ ଏନ୍ସିପି ଗଢ଼ିଥିଲେ। ଅଜିତ ମଧ୍ୟ ଦାଦାଙ୍କ ପଦାଙ୍କ ଅନୁସରଣ କରିଥିଲେ। ୪୦ ବର୍ଷ ବୟସରେ ଅଜିତ ପାୱାର କଂଗ୍ରେସ ନେତୃତ୍ବାଧୀନ ବିଳାସରାଓ ଦେଶମୁଖ ସରକାରରେ ସବୁଠାରୁ କମ୍ ବୟସର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ଗତରାତିରେ ସେ ଅଚାନକ ବିଜେପି ସହିତ ହାତ ମିଳାଇ ରାଜ୍ୟ ରାଜନୀତି କମ୍ପନ ସୃଷ୍ଟି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/sg54sfg4sf8g4sf5gfs56gsf65g65sf4g65sf4g89sf74g98sfsfsfsfsfsfsfsfsfg.jpg)
