ଅଜମେର୍‌ ଜେଲ୍‌ ଭିଆଇପି ରୁମ୍‌ର ଦାମ୍‌ ମାସିକ ୮ଲକ୍ଷ

ଗୋଟିଏ ପ୍ୟାକେଟ୍‌ ସିଗାରେଟ୍‌ର ଦାମ୍‌ ୧୨ ହଜାର

ଜୟପୁର: ରାଜସ୍ଥାନର ଅଜ୍‌ମେର ଜେଲ୍‌ରେ ଏକ ବଡ଼ ଧରଣର ଲାଞ୍ଚ କାରବାର ରୢାକେଟ୍‌ ଠାବ ହୋଇଛି। ଜେଲ୍‌ ମଧ୍ୟରେ କେବଳ ନିଷିଦ୍ଧ ଦ୍ରବ୍ୟ ମିଳୁନାହିଁ, ବରଂ ଲାଞ୍ଚ ନେଇ କଏଦୀମାନଙ୍କୁ ଭିଆଇପି ସୁବିଧା ଦିଆଯାଉଛି। ଏସିବି (ଦୁର୍ନୀତି ନିରୋଧ ବ୍ୟୁରୋ) ଦ୍ବାରା ତଦନ୍ତରୁ ଅଜ୍‌ମେର ଜେଲ୍‌ରେ ଲାଞ୍ଚ କାରବାର ରୢାକେଟ୍‌ ଠାବ ହୋଇଛି। ଏସିବିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ,‘ ଅଜ୍‌ମେର କେନ୍ଦ୍ରୀୟ ଜେଲ୍‌ର ପ୍ରତ୍ୟେକ ବାରାକ୍‌ରେ ଏକ ଭିଆଇପି ରୁମ୍‌ ରହିଛି। ଏହି ରୁମ୍‌ରେ କଏଦୀମାନଙ୍କୁ ସବୁ ପ୍ରକାରର ଭିଆଇପି ସୁବିଧା ସୁଯୋଗ ମିଳୁଛି। ତଦନ୍ତରୁ ଜଣାପଡ଼ିଛି ‌ଯେ, ବାରାକ୍‌ ନମ୍ବର ୧ରୁ ବାରାକ୍‌ ନମ୍ବର ୧୫ ମଧ୍ୟରେ କଏଦୀଙ୍କ ପାଇଁ ଭିଆଇପି ରୁମ୍‌ ରହିଛି। ଯେଉଁ କଏଦୀମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଛି ସେମାନେ ଏହି ରୁମ୍‌ରେ ରହୁଛନ୍ତି। ସେମାନଙ୍କୁ ଭଲ କୋଠରୀ, ସ୍ବତନ୍ତ୍ର ଖାଦ୍ୟ, ପୋଷାକ ଏବଂ ମନୋରଂଜନ ସୁବିଧା ମିଳୁଛି। ତେବେ ଏହି ଭିଆଇପି ରୁମ୍‌ ପାଇଁ କଏଦୀମାନଙ୍କୁ ମାସିକ ୮ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ଜେଲ୍‌ କର୍ମଚାରୀଙ୍କ ମଧ୍ୟସ୍ଥି କଏଦୀଙ୍କ ପରିବାର ସଦସ୍ୟଙ୍କଠାରୁ ଏହି ଟଙ୍କା ସଂଗ୍ରହ କରୁଛନ୍ତି। କିଛି କଏଦୀଙ୍କ ପରିବାର ସଦସ୍ୟ ନଗଦ ଟଙ୍କା ଦେଉଥିବା ବେଳେ ଅନ୍ୟ କିଛି କଏଦୀଙ୍କ ପରିବାର ସଦସ୍ୟ ଅନଲାଇନ୍‌ରେ ଟଙ୍କା ପଠାଉଛନ୍ତି। ଜଣେ ଏସିବି ଅଧିକାରୀ କହିଛନ୍ତି, ଏହି ରୢାକେଟ୍‌ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କର ବ୍ୟାଙ୍କ୍‌ ‌‌ଷ୍ଟେଟମେଣ୍ଟ୍‌ ଦେବାପାଇଁ ବିଭିନ୍ନ ବ୍ୟାଙ୍କ୍‌ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ମାମଲାରେ ୧୮ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ ହୋଇଥିବା‌ ଜଣାପଡ଼ିଛି।

କଏଦୀମାନେ ମଧ୍ୟ ତମାଖୁ, ସିଗାରେଟ୍‌ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ପାଇଁ ମୋଟା ଅଙ୍କର ଟଙ୍କା ଦେଉଛନ୍ତି। ଜଣାଯାଇଛି ‌ଯେ ଗୋଟିଏ ପ୍ୟାକେଟ୍‌ ସିଗାରେଟ୍‌ର ଦାମ୍‌ ୧୨,୦୦୦ରୁ ୧୫,୦୦୦ ଟଙ୍କା ରହିଛି ଏବଂ ତମାଖୁର ଦାମ୍‌ ୩୦୦ରୁ ୫୦୦ ଟଙ୍କା ରହୁଛି। ସୂଚନାନୁଯାୟୀ ଏସିବି ଅଧିକାରୀମାନେ ଚଳିତ ବର୍ଷ ଜୁଲାଇରେ ଆଜମେର ଜେଲ୍‌ରେ କଏଦୀମାନଙ୍କୁ ସ୍ବତନ୍ତ୍ର ସୁବିଧା ପାଇଁ ଚାଲିଥିବା ଲାଞ୍ଚ କାରବାରର ପର୍ଦ୍ଦାଫାସ କରିଥିଲେ। ଏହି ମାମଲାରେ ୧୨ ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ଜେଲ୍‌ କର୍ମଚାରୀ, ୨ ଜଣ କଏଦୀ ଏବଂ କଏଦୀଙ୍କ ସମ୍ପର୍କୀୟ ଅଛନ୍ତି।

ସମ୍ବନ୍ଧିତ ଖବର