ବିବାହ ବାର୍ଷିକୀରେ ପତ୍ନୀଙ୍କ ନାଁରେ ଜହ୍ନରେ ଜାଗା କିଣିଲେ ସ୍ୱାମୀ 

ଅଜମେର: ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟା ପତ୍ନୀଙ୍କୁ ଖୁସି କରିବା ପାଇଁ ସ୍ୱାମୀ ଜହ୍ନରେ ଜାଗା କିଣିଦେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ୟେକ ଲୋକଙ୍କର ସ୍ୱପ୍ନ ଥାଏ ଜହ୍ନରେ ଜାଗା କିଣିବା ପାଇଁ। କିନ୍ତୁ ଯେତେବେଳେ ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୁଏ ସେତେବେଳେ ଖୁସି ଦ୍ୱିଗୁଣିତ ହୋଇଯାଏ।

ଏମିତି ଏକ ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି ରାଜସ୍ଥାନ ଅଜମେରର ସ୍ୱପ୍ନା ଅନିଜାଙ୍କ କ୍ଷେତ୍ରରେ। ସ୍ୱପ୍ନାଙ୍କ ସ୍ୱାମୀ ଧର୍ମେନ୍ଦ୍ର ଅନିଜା ସ୍ୱପ୍ନାଙ୍କୁ ତାଙ୍କ ବିବାହ ବାର୍ଷିକୀର ଉପହାର ସ୍ୱରୂପ ଜହ୍ନରେ ତାଙ୍କ ନାଁରେ ଜାଗା କିଣିଛନ୍ତି।ଡିସେମ୍ବର ୨୪ ତାରିଖରେ ସ୍ୱପ୍ନା ଏବଂ ଧର୍ମେନ୍ଦ୍ରଙ୍କ ଅଷ୍ଟମ ବିବାହ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପତ୍ନୀଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେଇ ଖୁସି କରାଇଛନ୍ତି ସ୍ୱାମୀ ଧର୍ମେନ୍ଦ୍ର।

ଏଭଳି ଉପହାର ପାଇବା କେବେ ବି କଳ୍ପନା କରିନଥିଲେ ସ୍ୱପ୍ନା। ବିବାହ ବାର୍ଷିକୀରେ କିଏ ଗହଣା, କାର୍ କିମ୍ବା ଅନ୍ୟ କିଛି ଉପହାର ଦେଇ ଖୁସି ଜାହିର କରୁଥିବା ବେଳେ ଭିନ୍ନ ଏକ ଉପହାର ଦେବା ପାଇଁ ସ୍ଥିର କରିଥିଲେ ଧର୍ମେନ୍ଦ୍ର। ସେ ସ୍ତ୍ରୀଙ୍କ ପାଇଁ ଜହ୍ନରେ ୩ ଏକର ଜାଗା କିଣିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ହେଉଛନ୍ତି ରାଜସ୍ଥାନର ପ୍ରଥମ ବ୍ୟକ୍ତି, ଯିଏ ଜହ୍ନରେ ଜାଗା କିଣିବାରେ ସଫଳ ହୋଇଛନ୍ତି।

 

ସମ୍ବନ୍ଧିତ ଖବର