ନୂଆଦିଲ୍ଲୀ: ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି-ବାବରୀ ମସ୍ଜିଦ ଜମି ବିବାଦର ସର୍ବସମ୍ମତ ସମାଧାନ ରାସ୍ତା ଖୋଜିବା ପାଇଁ ଗଠିତ ହୋଇଥିବା ମଧ୍ୟସ୍ଥି କମିଟିର କାର୍ଯ୍ୟକାଳକୁ ଆଜି ସୁପ୍ରିମ୍ କୋର୍ଟ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ କହିଛନ୍ତି ଯେ ପୂର୍ବ ବିଚାରପତି ଏଫ୍ ଏମ୍ ଆଇ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ମଧ୍ୟସ୍ଥି କମିଟିର ରିପୋର୍ଟ ମିଳିଛି ଏବଂ ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ପାଇଁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବାକୁ ଅନୁରୋଧ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ କମିଟି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଏବଂ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକ ସମୟ ଆବଶ୍ୟକ ହେଉଛି। ତେଣୁ କମିଟିର କାର୍ଯ୍ୟକାଳକୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି।ଅଯୋଧ୍ୟା ଜମି ବିବାଦ ଦୀର୍ଘ ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବା ବେଳେ ଏହାର ସମାଧାନ ପାଇଁ ଆଉ କିଛି ଅଧିକ ସମୟ ଦିଆଯିବାରେ କିଛି ସମସ୍ୟା ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ସମ୍ବିଧାନ ପୀଠର ଅନ୍ୟ ବିଚାରପତିମାନେ ହେଲେ ଏସ୍.ଏ. ବୋବଡେ, ଡି.ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍ ଅବଦୁଲ ନଜିର। ସମ୍ବିଧାନ ପୀଠ ମଧ୍ୟସ୍ଥି କମିଟି ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ଅଧିକ ସମୟ ମଂଜୁର କରିଥିଲେ।ସୁପ୍ରିମ୍ କୋର୍ଟ ମାର୍ଚ ୮ ତାରିଖରେ ପୂର୍ବ ବିଚାରପତି କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ମଧ୍ୟସ୍ଥି କମିଟି ଗଠନ କରିଥିଲେ। ଏଥିରେ ଅନ୍ୟ ଦୁଇ ସଦସ୍ୟ ହେଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଂଚୁ।
ସୁପ୍ରିମ୍ କୋର୍ଟରେ ଅଯୋଧ୍ୟା ଜମି ବିବାଦ, ମଧ୍ୟସ୍ଥି କମିଟିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ମିଳିଲା
/sambad/media/post_attachments/wp-content/uploads/2019/05/ayodhuya.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)