ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିଜେଡିର ସ୍ବାଗତ

ନୂଆଦିଲ୍ଲୀ : ରାଜ୍ୟସଭାରେ ପ୍ରଥମ ଥର ପାଇଁ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍‌ଙ୍କୁ ବୁଧବାର ଦିନ ବିଜେଡି ପକ୍ଷରୁ ସ୍ବାଗତ କରାଯାଇଛି। ବିଜେଡି ରାଜ୍ୟସଭା ନେତା ସସ୍ମିତ ପାତ୍ର ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଧନଖଡ୍‌ଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ କହିଲେ, ଗୃହ ପରିଚାଳନାରେ ବିଜେଡି ସମସ୍ତ ପ୍ରକାର ସହଯୋଗ କରିବ। ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ସଂସଦର ମର୍ଯ୍ୟାଦା ରକ୍ଷା ପାଇଁ ବିଜେଡି ପ୍ରତିବଦ୍ଧ। ସଂସଦୀୟ ବିଧି ବ୍ୟବସ୍ଥାର ଲକ୍ଷ୍ମଣ ରେଖାକୁ ଲଂଘିବାକୁ କେବେ ହେଲେ ମଧ୍ୟ ଶ୍ରୀ ପଟ୍ଟନାୟକ ସୁଯୋଗ ଦେଇନାହାନ୍ତି। ସଂସଦକୁ ସୁରୁଖୁରୁରେ ଚଳାଇବା ତଥା ଶୃଙ୍ଖଳିତ ଓ ମର୍ଯ୍ୟାଦାପୂର୍ଣ୍ଣ ଆଚରଣ ଉପରେ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଡ. ପାତ୍ର କହିଥିଲେ।

ସେ ତାଙ୍କ ଅଭିଭାଷଣରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁଭବୀ ଓ ଜ୍ଞାନର ଭଣ୍ଡାର କହିବା ସହିତ ଏହାର ଫାଇଦା ସମସ୍ତଙ୍କୁ ମିଳିବ ବୋଲି ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟ ପରାମର୍ଶଦାତା ବୈଠକରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଗୃହ ପରିଚାଳନା ନେଇ ତାଙ୍କ ଦୃଷ୍ଟିକୋଣକୁ ଡ. ପାତ୍ର ପ୍ରଶଂସା କରିଥିଲେ। ପ୍ରଥମେ ବିରୋଧୀ, ତା’ ପରେ ଶାସକ ଏବଂ ଶେଷରେ ପୁଣି ବିରୋଧୀଙ୍କୁ ଶୁଣିବେ ବୋଲି କାର୍ଯ୍ୟ ପରାମର୍ଶଦାତା ବୈଠକରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବକ୍ତବ୍ୟକୁ ସସ୍ମିତ ସ୍ବାଗତ କରିଥିଲେ। ଅଭିଭାଷଣର ଶେଷରେ ସସ୍ମିତ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଓଡ଼ିଆରେ ସ୍ବାଗତ ଓ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର