ନୂଆଦିଲ୍ଲୀ: ଆକାଶ  ଏୟାର ପ୍ରଥମ ଥର ପାଇଁ ନିଜର ବିମାନ ଉଡ଼ାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏହି କମ୍ପାନିର ପ୍ରଥମ ବିମାନର ମୁମ୍ବାଇ-ଅହମଦାବାଦ ଅଭିମୁଖେ ଯାତ୍ରା କରିବ। ବିମାନଟି ଆସନ୍ତାକାଲି ସକାଳ ୧୦ଟା ୫ରେ ଉଡ଼ାଣ କରିବ। ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କମ୍ପାନି ବିମାନ ନମ୍ବର କ୍ୟୁପି୧୧୦୧ ସହିତ ବୋଇଙ୍ଗ ୭୩୭ମ୍ୟାକ୍ସ ବିମାନ ବ୍ୟବହାର କରିବ। କମ୍ପାନିକୁ ଜୁଲାଇ ୭ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଠାରୁ ଏୟାର ଅପରେଟର ସାର୍ଟିଫିକେଟ୍ ମିଳିଥିଲା।

Advertisment

ଏହାପରେ ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ବାରା ପ୍ରତିଷ୍ଠିତ  ବିମାନ ସଂସ୍ଥା ଆକାଶ ଏୟାର ଜୁଲାଇ ୨୨ରେ ବୁକିଂ ଆରମ୍ଭ କରିଥିଲା।କମ୍ପାନି ଘୋଷଣା କରିଥିଲା ଯେ, ଅଗଷ୍ଟ ୭ତାରିଖରୁ ଏହାର ବିମାନ ପ୍ରଥମ ବ୍ୟବସାୟିକ ଉଡ଼ାଣ କରିବ । ଆକାଶ ଏୟାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ବ୍ୟବହାର କରି ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରଥମ ସେବା ପ୍ରଦାନ କରିବ । ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଅଗଷ୍ଟ ୭ ତାରିଖରୁ ସାପ୍ତାହିକ ଭିତ୍ତିରେ ଉଡାଣ ସେବା ଜାରି ରହିବ । ଏଥିସହିତ, ଅଗଷ୍ଟ ୧୩ରୁ ବାଙ୍ଗାଲୋର-କୋଚି ମାର୍ଗରେ ଆକାଶ ଏୟାରର ବିମାନ ଚଳାଚଳ କରିବ ।

ଆକାଶ ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କହିଥିଲେ ଯେ, ପ୍ରଥମେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରାଯିବ । ନେଟୱାର୍କ ବିସ୍ତାର ଯୋଜନା ଅଧୀନରେ ଦେଶର ବଡ଼ ସହରଗୁଡ଼ିକୁ ପର୍ଯ୍ୟାୟକ୍ରମେ  ସଂଯୋଗ କରାଯିବ ।

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବରରେ ଆକାଶ ଏୟାର ବୋଇଙ୍ଗ ସହିତ ୭୨ ମ୍ୟାକ୍ସ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା । ଏଥିପାଇଁ କମ୍ପାନୀ ଅଗଷ୍ଟ ମାସରେ ଡିଜିସିଏରୁ ଅନୁମୋଦନ ନେଇଥିଲା । ଏହାର ହୋଲଡିଂ କମ୍ପାନୀ ହେଉଛି ଏସଏନଭି । ବରିଷ୍ଠ ନିବେଶକ ରାକେଶ ଝୁନଝୁନୱାଲା ଏବଂ ଜେଟ ଏୟାରୱେଜର ପୂର୍ବତନ ସିଇଓ ବିନୟ ଦୁବେଙ୍କ ଦ୍ୱାରା ଆକାଶ ଏୟାର ପରିଚାଳିତ ହୋଇଛି ।