ଅଖଣ୍ଡ ଭାରତ ମାନଚିତ୍ର ନେଇ ପାକିସ୍ତାନରେ ହଇଚଇ

ଭାରତ କହିଲା: ଏହା ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟର ଚିତ୍ରଣ

ନୂଆଦିଲ୍ଲୀ: ଭାରତର ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ମାନଚିତ୍ରକୁ ନେଇ ପଡ଼ୋଶୀ ରାଷ୍ଟ୍ରମାନଙ୍କର ଚିନ୍ତା ବଢ଼ିଯାଇଛି। ପୂର୍ବରୁ ଏନେଇ ନେପାଳ ଉଦ୍‌ବେଗ ଜଣାଇଥିଲା ଏବଂ ଏବେ ପାକିସ୍ତାନରେ ଏହାକୁ ନେଇ ହଇଚଇ ସୃ‌ଷ୍ଟି ହୋଇଛି । ପାକ୍‌ ଅଧିକୃତ କାଶ୍ମୀର ସର୍ବଦା ଭାରତର ମାନଚିତ୍ରରେ ରହିଥିବା ବେଳେ ଏବେ ସଂସଦ ଭବନରେ ଲଗାଯାଇଥିବା ପ୍ରାଚୀନ ଭାରତର ଭିତ୍ତିଚିତ୍ରରେ ସମଗ୍ର ପାକିସ୍ତାନକୁ ଦର୍ଶାଯାଇଥିବାରୁ ପାକ୍‌ ନେତାମାନେ ଛାନିଆ ହୋଇପଡ଼ିଛନ୍ତି। କାଶ୍ମୀରକୁ ନେଇ ଭାରତ ବିରୋଧରେ ବିଷୋଦ୍‌ଗାର କରୁଥିବା ପାକ୍‌ ନେତାମାନଙ୍କୁ ଏବେ ଜନସାଧାରଣ ଘେରିବାରେ ଲାଗିଛନ୍ତି। ଭାରତ ଯେ କୌଣସି ସମୟରେ ପାକ୍‌ ଅଧିକୃତ କାଶ୍ମୀରକୁ ନିଜ ଦଖଲକୁ ନେଇଯାଇପାରେ ବୋଲି ପାକିସ୍ତାନୀ ଜନତା ଆଶଙ୍କା ବ୍ୟକ୍ତ କରିଛନ୍ତି।

ପାକିସ୍ତାନର ଜଟିଳ ରାଜନୈତିକ ଓ ଆର୍ଥିକ ସଙ୍କଟ ଭିତରେ ବି ଏବେ ‘ଅଖଣ୍ଡ ଭାରତ’ ମାନଚିତ୍ର ଚର୍ଚ୍ଚାରେ ରହିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମୁମତାଜ ଜହରା ଆଜି ଏ ନେଇ ଆନୁଷ୍ଠାନିକ ବୟାନ ଜାରି କରି ଅଖଣ୍ଡ ଭାରତ ମାନଚିତ୍ରରେ ପାକିସ୍ତାନ ସମେତ ଅନ୍ୟ ପଡୋଶୀ ଦେଶକୁ ପ୍ରଦର୍ଶନ କରାଯିବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଭାରତୀୟ ସଂସଦରେ ପ୍ରଦର୍ଶିତ ଅଖଣ୍ଡ ଭାରତ ଭିତ୍ତିଚିତ୍ରକୁ ନେଇ ଆମେ ଚିନ୍ତିତ । ଏହାକୁ ବିଜେପି ନେତାମାନେ ଅଖଣ୍ଡ ଭାରତ ବୋଲି ଦର୍ଶାଉଥିବା ବେଳେ ଏହା ଭାରତ ସରକାରଙ୍କ ବିସ୍ତାରବାଦୀ ମାନସିକତାର ପରିଚୟ ଦେଉଛି ବୋଲି ସେ କହିଛନ୍ତି।

ପୂର୍ବରୁ ନେପାଳ ମଧ୍ୟ ଅଖଣ୍ଡ ଭାରତ ଭିତ୍ତିଚିତ୍ରକୁ ବିରୋଧ କରିଥିଲା ଏହି ମାମଲାରେ ଭାରତ ସରକାରଙ୍କ ସହ ଆମେ ଆଲୋଚନା କରିବୁ ବୋଲି ନେପାଳ ପ୍ରଧାନମନ୍ତ୍ରୀ ବୟାନ ଦେଇଥିଲେ। ତେବେ ‌ନେପାଳ ଓ ପାକିସ୍ତାନର ଉଦ୍‌ବେଗ ଉପରେ ଜବାବ ରଖି ଆଜି ଭାରତ ସରକାର ସ୍ଥିତି ସ୍ପଷ୍ଟ କରିଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନୂଆ ସଂସଦ ଭବନରେ ଲାଗିଥିବା ଭତ୍ତିଚିତ୍ର ହେଉଛି ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟର ଚିତ୍ରଣ। ଉଲ୍ଲେଖଯୋଗ୍ୟ, ଭାରତର ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ଯେଉଁ ଭିତ୍ତିଚିତ୍ର ପ୍ରଦର୍ଶନ କରାଯାଇଛି ସେଥିରେ ବର୍ତ୍ତମାନର ଆଫଗାନିସ୍ତାନ, ପାକିସ୍ତାନ, ମାଳଦ୍ବୀପ, ଶ୍ରୀଲଙ୍କା, ମିଆଁମାର ଓ ବାଂଲାଦେଶକୁ ଏକସଙ୍ଗରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର