ଲକ୍ଷ୍ନୌ : ଆସନ୍ତା ୧୦ ତାରିଖରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ଏହା ପୂର୍ବରୁ ପୁଣି ଥରେ ଇଭିଏମ୍ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ଟାମ୍ପରିଂ ପ୍ରସଙ୍ଗ ଉଠିଛି ।
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆଜି ବାରାଣାସୀରେ ଇଭିଏମ ଟାମ୍ପରିଂ କରାଯାଉଥିବା ଅଭିଯୋଗ କରିଛନ୍ତି । ଉତ୍ତରପ୍ରଦେଶର ବିଜେପି ସରକାର ଇଭିଏମ ଚୋରି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇଭିଏମଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ସୂଚୀନ ନ କରି ବାରାଣାସୀ ଜିଲ୍ଲାପାଳ ଇଭିଏମଗୁଡ଼ିକୁ ସ୍ଥାନାନ୍ତର କରୁଥିଲେ । ବିଜେପି ଇଭିଏମ ଚୋରି କରୁଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ବାରଣାସୀରେ ଏକ ଟ୍ରକ ଭର୍ତ୍ତି ଇଭିଏମ ଧରା ପଡ଼ିଛି । ଏଣୁ ସେ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ବିଶ୍ବାସ କରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସପା ସମର୍ଥକମାନେ ନିଜ ନିଜର କ୍ୟାମେରା ନେଇ ସତର୍କ ହୋଇଯିବାକୁ ସେ ଆହ୍ବାନ ଜଣାଇଛନ୍ତି ।
ସେ ଆହୁରି ଅଭିଯୋଗ କରିଛନ୍ତି, ଯେ ସରକାରୀ କଳର ଅପବ୍ୟବହାର କରି ବିଜେପି ନିର୍ବାଚନ ଜିତିବାକୁ ଚାହୁଁଛି । ଯେଉଁ ଅଂଚଳରେ ବିଜେପି ଜିତିବାର ସମ୍ଭାବନା ନାହିଁ ସେଠାରେ ଗଣତି ପ୍ରକ୍ରିୟାକୁ ଜାଣିଣୁଣି ବିଳମ୍ବିତ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ।
ଏକଜିଟ ପୋଲ ସଂପର୍କରେ ସେ କହିଛନ୍ତି ଯେ ଏହା ଦ୍ବାରା ଏପରି ପ୍ରଦର୍ଶିତ କରିବାକୁ ଚେଷ୍ଟା କରାଯାଉଛି ଯେ ବିଜେପି ଜିତିବ ।