ଲଖନଉ: ଉତ୍ତରପ୍ରଦେଶର ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ଅଭିଯାନ ଶେଷ ହୋଇଛି। ଆଜି ପ୍ରଚାରର ଶେଷ ଦିନରେ,ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁରାଦାବାଦ ଏବଂ ରାମପୁରରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ | ତେବେ ଆଶ୍ଚର୍ଯ୍ୟର କଥା ଯେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ଦୁଇଟି ଆସନରେ ପ୍ରଚାର କରିବାକୁ ମୂଳରୁ ଯାଇ ନଥିଲେ। ନିଜର ଟିମ ସହ ଏହି ଉପନିର୍ବାଚନକୁ କିଭଳି ଜିତିହେବ, ସେନେଇ ଯୋଗୀ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବାବେଳେ ଅନ୍ୟପକ୍ଷରେ ସପା(ସମାଜବାଦୀ ପାର୍ଟି) ମୁଖ୍ୟ ଅଖିଳେଶ ଯାଦବ କିନ୍ତୁ ନିର୍ବାଚନ ପ୍ରଚାରଠାରୁ ଦୂରେଇ ରହିଥିଲେ ।
୨୦୧୯ ଲୋକସଭା ନିର୍ବାଚନରେ ଏସପି ମୁଖ୍ୟ ଅଖିଳେଶ ଯାଦବ ଏହି ଆସନରେ ଜିତିଥିବାବେଳେ ଚଳିତ ବର୍ଷ ୨୦୨୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆଜମ ଖାନ ରାମପୁରରୁ ଏବଂ ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ଜିତିଥିଲେ। ଏହା ପରେ ଏହି ଦୁଇ ନେତା ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏହି କାରଣରୁ ଏହି ଦୁଇଟି ସିଟ୍ ଖାଲି ପଡିଥିଲା | ତେବେ ଏଥର ହେଉଥିବା ଉପନିର୍ବାଚନରେ ଏଥର ବିଜେପି ଆଜମଗଡରୁ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ଦୀନେଶ ଲାଲ ଯାଦବ ଓରଫ ନିରହୁଆଙ୍କୁ ପ୍ରାର୍ଥୀ କରିଛି | ୨୦୧୯ ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ନିରହୁଆ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ବି ନିର୍ବାଚନରେ ହାରିଯାଇଥିଲେ |
ସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଏସପି ପୂର୍ବତନ ବିଧାୟକ ତଥା ବ୍ୟବସାୟୀ ଶାହା ଆଲାମଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଶାହା ଆଲାମ ଏଥର ବିଧାନସଭା ନିର୍ବାଚନରେ ଓୱେସିଙ୍କ ପାର୍ଟି ଏଆଇଏମଆଇଏମ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବି ହାରି ଯାଇଥିଲେ। ଅନ୍ୟପଟେ ବିଜେପି ରାମପୁରରୁ ଘନଶ୍ୟାମ ଲୋଧିଙ୍କୁ ଏଠାରୁ ପ୍ରାର୍ଥୀ କରିଥିବାବେଳେ ବିଏସପି ଏଠାରେ ପ୍ରାର୍ଥୀ ଦେଇନାହିଁ | ସେହିପରି ସମାଜବାଦୀ ପାର୍ଟି ରାମପୁରରୁ ଆଜମ ଖାନଙ୍କ ସହଯୋଗୀ ଅସୀମ ରାଜାଙ୍କୁ ପ୍ରାର୍ଥୀ କରିଛି |