ଲକ୍ଷ୍ନୌ: ବେଆଇନ ବାଲି ଖନନ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସିବିଆଇର ସାମ୍ନା କରିବାକୁ ଯାଉଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ନେତା ଓ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆଇଏଏସ୍‌ ଅଧିକାରୀ ବି ଚନ୍ଦ୍ରକଳା ଏବଂ ହମିରପୁରରେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ସିବିଆଇ ଚଢ଼ଉ ପରେ ଏବେ ଅଖିଳେଶଙ୍କ ପାଳି ପଡ଼ିପାରେ। ତେବେ ଏହାକୁ ଅଖିଳେଶ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟି ଭଳି ଆଞ୍ଚଳିକ ଦଳମାନେ ମେଣ୍ଟ ଗଠନ ଉଦ୍ୟମରେ ଲାଗିଥିବା ବେଳେ ବିଜେପି କିନ୍ତୁ ଭିନ୍ନ ରାସ୍ତା ଆପଣାଉଛି। ଦଳ ଏହାର ଚିରାଚରିତ ଅସ୍ତ୍ର ସିବିଆଇକୁ ବ୍ୟବହାର କରି ଚଢ଼ଉ କରୁଛି। ନିର୍ବାଚନ ପାଖେଇ ଆସୁଥିବାରୁ ସିବିଆଇ ମାଧ୍ୟମରେ ବିଭିନ୍ନ ନେତୃବୃନ୍ଦଙ୍କୁ ହଇରାଣ କରିବାକୁ ବିଜେପି ଉଦ୍ୟମ କରୁଛି। ଏସ୍‌ପି-ବିଏସ୍‌ପି ମେଣ୍ଟକୁ ବିଫଳ କରିବାକୁ ସିବିଆଇ ଛାଟ ବ୍ୟବହାର କରାଯାଉଛି ବୋଲି ଅଖିଳେଶ କହିଛନ୍ତି।

Advertisment

publive-image

ଅଖିଳେଶ ଆହୁରି କହିଛନ୍ତି, ପୂର୍ବରୁ କଂଗ୍ରେସ ଦ୍ବାରା ସିବିଆଇର ସମ୍ମୁଖୀନ ହୋଇଥିଲି। ଏବେ ବିଜେପି ଯୋଗୁ ‌ପୁଣି ସେହି ସୁଯୋଗ ମିଳିବ। ତାଙ୍କ କହିବାନୁଯାୟୀ ସିବିଆଇର ଯେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ। ଏଜେନ୍ସିକୁ ମୁଁ ଭୟ କରେନାହିଁ। ତେବେ ଏହାର ଜବାବ ଠିକଣା ସମୟରେ ଦିଆଯିବ ବୋଲି ‌ସେ ଦର୍ଶାଇଛନ୍ତି। ବିଜେପିକୁ ଟାର୍ଗେଟ୍‌ କରି ଅଖିଳେଶ ଆହୁରି କହିଛନ୍ତି, ଆମେ ଏକ୍ସପ୍ରେସ୍‌ୱେ ନିର୍ମାଣ କରିବା ପରେ ବିଜେପି ତାହାର ତଦନ୍ତ କରାଇଥିଲା। ବିଜେପି ନିକଟରେ ଯେଉଁ କ୍ଷମତା ରହିଛି, ତାହାକୁ ସେ ଭଲ ଭାବେ ପ୍ରୟୋଗ କରୁଛି। ବିଜେପି ନିକଟରେ ଏବେ ସିବିଆଇ ରହିଥିବାରୁ ଆମ ନିକଟକୁ ମନଇଚ୍ଛା ଏହାକୁ ପଠାଉଛି। ତେବେ ମୁଁ ସିବିଆଇକୁ ସ୍ବାଗତ କରୁଛି। ସେମାନେ (ବିଜେପି ସରକାର) ବିଜ୍ଞାପନରେ ୫,୦୦୦ କୋଟି ଟଙ୍କା ଖର୍ଚ୍ଚ କଲେ। ଏବେ ଏଥିରୁ କାହାକୁ କେତେ ମିଳିଛି, ତାହା ହିସାବ କରାଯାଉଛି। କିନ୍ତୁ ସେ ବାବଦରେ ବିଜେପିକୁ କେହି ପ୍ରଶ୍ନ କରୁନାହାନ୍ତି। ତେବେ ବିଜେପିକୁ ଆଗାମୀ ୧୦୦ ଦିନ ପରେ ଲୋକମାନେ ସବୁ ଜବାବ ଦେବେ ବୋଲି ଅଖିଳେଶ କହିଛନ୍ତି। ଅପରପକ୍ଷରେ ଅଖିଳେଶଙ୍କୁ ବିଜେପି ମଧ୍ୟ ସମାଲୋଚନା କରିଛି। ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଅଖିଳେଶଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଛି ଏବଂ ଏହି ଦୁର୍ନୀତିରେ ଅଖିଳେଶ ଓ ତାଙ୍କ ମନ୍ତ୍ରୀ ସିଧାସଳଖ ସମ୍ପୃକ୍ତ ଥିଲେ ବୋଲି ବିଜେପି କହିଛି। ବିଜେପି ନେତା ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି, ୨୦୧୨ରୁ ୨୦୧୭ ମଧ୍ୟରେ ହୋଇଥିବା ମାମଲା ନେଇ ଲୋକେ ଜାଣିଛନ୍ତି। ଗତକାଲି ସିବିଆଇ ୧୨ଟି ଜାଗାରେ ଚଢ଼ଉ କରିଥିଲା। ୨୦୧୨ରେ ଯେବେ ବେଆଇନ ବାଲି ଖନନ ମାମଲା ହୋଇଥିଲା ସେତେବେଳେ କିଏ ଖନନ ମନ୍ତ୍ରୀ ଥିଲେ ଏବଂ ୨୦୧୨ ଓ ୨୦୧୩ରେ ବି ଚନ୍ଦ୍ରକଳାଙ୍କୁ ଡିଏମ୍‌ କାହିଁକି କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ଅନେକ ପ୍ରଶ୍ନ ମଧ୍ୟ ସେ ପଚାରିଥିଲେ। ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ କଂଗ୍ରେସ ଏବେ ବି ଏଥିରେ ସାମିଲ ହେବାକୁ ଇଚ୍ଛା ରଖିଛି। ଏଥିପାଇଁ ବେଆଇନ ବାଲି ଖନନ ମାମଲାରେ ଅଖିଳେଶଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ଆଗେଇ ଆସିଛି। ଦଳର ବରିଷ୍ଠ ନେତା କପିଲ୍‌ ସିବଲ୍‌ ଏବଂ ରାଜ୍‌ ବବ୍ବର ଏ ନେଇ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ସିବଲ୍‌ ଟ୍ବିଟ୍‌ କରି କହିଛନ୍ତି, ବିଜେପି ବିରୋଧରେ ଯିଏ ବି ମୁହଁ ଖୋଲୁଛି, ତା’ ପଛରେ ସିବିଆଇ ପଡ଼ିଯାଉଛି।