ସ୍ୱାମୀଙ୍କ ପାଇଁ ନିଜ ଆସନ ଛାଡ଼ିବେ ଅଖିଳେଶ, ବିଧାନସଭା ପଠାଇବାକୁ ସପାର ଯୋଜନା

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ସମାଜବାଦୀ ପାର୍ଟି ଗତଥର ଅପେକ୍ଷା ଅଧିକ ଭୋଟ୍ ପାଇଛି । ତେବେ ନିର୍ବାଚନ ପୂର୍ବରୁ ଦଳରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ଅନ୍ୟ ନେତାଙ୍କ ଯୋଗୁଁ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏସପି(ସମାଜବାଦୀ ପାର୍ଟି) କହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନରେ ​​ହାରିଯିବା ପରେ ମଧ୍ୟ ସ୍ୱାମୀ ପ୍ରସାଦ ମୋୖର୍ଯ୍ୟଙ୍କୁ ବିଧାନସଭାକୁ ପଠାଇବାକୁ ସମାଜବାଦୀ ପାର୍ଟି ଯୋଜନା କରୁଛି । ଏଥିପାଇଁ ଏସପି ମୁଖ୍ୟ ଅଖିଳେଶ ଯାଦବ କରହଲ ବିଧାନସଭା ଆସନରୁ ଇସ୍ତଫା ଦେଇପାରନ୍ତି । ଚର୍ଚ୍ଚା ମୁତାବକ ସେ ନିଜ ସାଂସଦ ପଦ ରଖି କରହଲ ବିଧାନସଭା ଆସନରୁ ଇସ୍ତଫା ଦେଇପାରନ୍ତି ।

ତାଙ୍କ ଇସ୍ତଫା ପରେ କରହଲ ଆସନ ଖାଲି ହୋଇଯିବ ଏବଂ ଉପ-ନିର୍ବାଚନରେ ​​ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଟିକେଟ୍ ଦିଆଯାଇପାରିବ | ଅଖିଳେଶ ଯାଦବ ରବିବାର ଦିନ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ସୂଚନା ମୁତାବକ ଅଖିଳେଶ ଯାଦବ ମେନପୁରୀର କରହଲ ବିଧାନସଭା ଆସନରୁ ୬୭,୦୦୦ ରୁ ଅଧିକ ଭୋଟରେ ଜିତିଛନ୍ତି।

ସେ କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବଘେଲଙ୍କୁ ପରାସ୍ତ କରିଥିଲେ । ଅନ୍ୟପକ୍ଷରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସପା ଟିକଟରୁ ଫାଜିଲନଗର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ସମ୍ବନ୍ଧିତ ଖବର