ନୂଆଦିଲ୍ଲୀ: ବିଜେପି ଓଡ଼ିଶାର ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଏନ୍ଡିଏ ପ୍ରାର୍ଥୀଙ୍କୁ ଯେ କୌଣସି ପରିସ୍ଥିତିରେ ବିରୋଧ କରିବା ପାଇଁ ଯୋଜନା କରୁଥିବା କେତେକ ବିରୋଧୀ ଦଳ ପାଇଁ ବିଜେପିର ଏହି ରଣନୀତି ଘୋର ଅଡ଼ୁଆ ସୃଷ୍ଟି କରିଛି। ବିଜେପି ଜଣେ ମହିଳା ତଥା ଆଦିବାସୀଙ୍କୁ ପ୍ରାର୍ଥୀ କରିଥିବାରୁ ସମାଜବାଦୀ ପାର୍ଟି, ବିଏସ୍ପି, ଡିଏମ୍କେ, ଟିଆର୍ଏସ୍ ଆଦି ଦଳର ଅଡ଼ୁଆ ବଢ଼ିଛି। ଏହି ଦଳର ନେତାମାନେ ଗୋଟିଏ ପଟେ ଏନ୍ଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ଚାହୁଥିବା ବେଳେ ଅନ୍ୟପଟେ ମହିଳା ବିରୋଧୀ ଓ ଆଦିବାସୀ ବିରୋଧୀ ଭାବେ ଚିତ୍ରଣ ହେବାକୁ ଚାହୁନାହାନ୍ତି। ବିଜେପିର ଏହି ରଣନୀତି ଆଗରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମଧ୍ୟ ତାଙ୍କ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ଏବଂ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ନୀତୀଶ ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ ମଧ୍ୟ ଏଥର ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଜଣେ ଆଦିବାସୀ ତଥା ମହିଳା ନେତ୍ରୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ଏତେ ସହଜ ନଥିଲା।
ନୀତୀଶ ଆଜି ଏନ୍ଡିଏ ପ୍ରାର୍ଥୀଙ୍କୁ ସ୍ବାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବେ ବିଏସ୍ପି ଏବଂ ସମାଜବାଦୀ ପାର୍ଟି ଉପରେ ସମସ୍ତଙ୍କ ନଜର ରହିଛି। ସପା ମେଣ୍ଟରେ ଏବେ ୧୨୫ ବିଧାୟକ ଥିବା ବେଳେ ବିଏସ୍ପି ପାଖରେ କେବଳ ଜଣେ ବିଧାୟକ ଅଛନ୍ତି। ତେବେ ସପା ପାଖରେ ୩ ଜଣ ସାଂସଦ ଥିବାବେଳେ ବିଏସ୍ପିର ୧୦ ଜଣ ସାଂସଦ ଅଛନ୍ତି। ସମାଜବାଦୀ ପାର୍ଟି ଯଦି ମୁର୍ମୁଙ୍କୁ ବିରୋଧ କରିବ ତା’ହେଲେ ମହିଳା ଓ ଆଦିବାସୀ ବିରୋଧୀ ଭାବେ ଦଳର ଭାବମୂର୍ତ୍ତି ଉପରେ ବଡ଼ ଆଞ୍ଚ ଆସିବ। ବିଏସ୍ପି ମଧ୍ୟ ସମାନ ଦଶାର ସମ୍ମୁଖୀନ ହୋଇଥିବାରୁ ଏନ୍ଡିଏ ପ୍ରାର୍ଥୀଙ୍କ ବିରୋଧରେ ଏହି ଦୁଇ ଦଳର ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।