ପ୍ରିୟଙ୍କାଙ୍କୁ ନେଇ ଅଖିଳେଶଙ୍କ ବଡ଼ ବୟାନ, କହିଲେ; ସେ ଘରେ ବନ୍ଦୀ ଥିଲେ, ତେଣୁ ଆମ ସଂଘର୍ଷ ଦେଖିନାହାନ୍ତି

ଲକ୍ଷ୍ନୌ: ପ୍ରିୟଙ୍କା ଗୋଟିଏ ଘରେ ବନ୍ଦ ହୋଇ ରହିଥିଲେ, ତେଣୁ ସେ ଆମର ସଂଘର୍ଷ କଣ ଦେଖିନାହାନ୍ତି । ଲଖିମପୁର ହିଂସାକାଣ୍ଡକୁ ନେଇ ରାଜନୀତି ତେଜୁଥିବା ବେଳେ ବିରୋଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏଭଳି ସ୍ଥଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବି ଟାର୍ଗେଟ କରିବାକୁ ପଛାଇନାହାନ୍ତି । ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଲଖିମପୁର ହିଂସାକାଣ୍ଡ ଘଟଣାରେ ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି କରୁଥିବା ବେଳେ ପରସ୍ପରର ଗୋଡଟାଣିବା ଆରମ୍ଭ କରିଛନ୍ତି । ଲଖିମପୁର ହିଂସାକାଣ୍ଡ ମାମଲାରେ ଯୋଗୀ ସରକାର ଆଗକୁ ଆସିନଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ପରସ୍ପରକୁ ଟାର୍ଗେଟ କରିବା କେଉଁଠି ନା କେଉଁଠି ବିଜେପି ସରକାରକୁ ସୁହାଉଛି ।

ଲଖିମପୁର ଅଭିମୁଖେ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଜ ହେପାଜତକୁ ନେଇଥିଲା ଉତ୍ତରପ୍ରଦେଶ ପୁଲିସ। ଆଉ ସେତେବେଳେ ପ୍ରିୟଙ୍କା କହିଥିଲେ, ଲଖିମପୁରର ଚାଷୀଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଲଗାତାର ପ୍ରୟାସ କରୁଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ସଂଘର୍ଷ ଦେଖିବାକୁ ମିଳୁନି । ଆଜି ଯେତେବେଳେ ଏହାକୁ ନେଇ ପ୍ରଶ୍ନ କରାଗଲା ସେତେବେଳେ ଅଖିଳେଶ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଗୋଟିଏ ଘର ଭିତରେ ବନ୍ଦ ଥିଲେ ତେଣୁ ସଂଘର୍ଷ କ’ଣ ଦେଖିନାହାନ୍ତି ।

ଏହାପୂର୍ବରୁ ପ୍ରିୟଙ୍କାଙ୍କୁ ଯେଉଁଭଳି ନିଜ ହେପାଜତକୁ ପୁଲିସ ନେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ । କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର ଠିକ୍ ନୁହେଁ ବୋଲି କହିଥିଲେ ରାହୁଲ ।
ସମ୍ବନ୍ଧିତ ଖବର