ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟ ଚୋରି ଅଭିଯୋଗର ପ୍ରତିବାଦରେ ଇଣ୍ଡିଆ ବ୍ଲକ ନେତାମାନେ ସୋମବାର ସଂସଦରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟକୁ ଏକ ପାଦଯାତ୍ରାରେ ବାହାରିଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ଇଣ୍ଡିଆ ବ୍ଲକ ନେତାମାନଙ୍କୁ ମଝି ରାସ୍ତାରେ ଅଟକାଇ ଦେଇଥିଲା। ଏହି ପଦଯାତ୍ରାରେ ଲୋକସଭା ଏବଂ ରାଜ୍ୟସଭାର ୩୦୦ ରୁ ଅଧିକ ସାଂସଦ ସାମିଲ ଅଛନ୍ତି।  

Advertisment

ପଦଯାତ୍ରାକୁ ପୁଲିସ ଅଟକାଇ ଦେବା ପରେ ରାସ୍ତାରେ ନେତାମାନେ ହଙ୍ଗମା ଆରମ୍ଭ କରି ଦେଇଥିଲେ। ଏତିକି ବେଳେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପୁଲିସ ଦାଗିଦକୁ ଅଣଦେଖା କରି ବ୍ୟାରିକେଡ୍ ଡେଇଁ ପଡ଼ିଥିଲେ। ଅଖିଳେଶଙ୍କ ବ୍ୟାରିକେଡ ଡିଆଁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ୱାୟନାଡର କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ତାଳି ମାରି ନିର୍ବାଚନ କମିଶନଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।

ପୁଲିସ ପ୍ରତିବାଦ ଶୋଭାଯାତ୍ରାକୁ ବନ୍ଦ କରିବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଧାରଣାରେ ବସିଥିଲେ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ ଆମକୁ ଆଗକୁ ଯିବାକୁ ଦିଆଯାଉନାହିଁ। ସରକାର ଆମକୁ ରୋକିବା ପାଇଁ ପୁଲିସକୁ ବ୍ୟବହାର କରୁଛନ୍ତି। ଆମେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଛୁ। ଆମେ ସମସ୍ତେ ନିର୍ବାଚନ କମିଶନଙ୍କୁ ଏସଆଇଆର ସମ୍ପର୍କିତ ଡକ୍ୟୁମେଣ୍ଟ ଦେବାକୁ ଚାହୁଁଛୁ। କାହିଁକି  ଆମକୁ ଏପରି ଅଟକାଯାଉଛି ସାରକାର ତାହାର ଜବାବ ଦିଅନ୍ତୁ।’