ଲଗାତାର ତୃତୀୟ ଥର ପାଇଁ ଅଖିଳେଶଙ୍କ ମେଣ୍ଟ ବିଫଳ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ସପା) ସୁପ୍ରି‌ମୋ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଗଢ଼ିଥିବା ମେଣ୍ଟ ଲଗାତାର ତୃତୀୟ ଥର ପାଇଁ ବିଫଳ ହୋଇଛି। ଚଳିତ ବିଧାନସଭା ନିର୍ବାଚନ ପାଇଁ ଅଖିଳେଶ ୫ଟି କ୍ଷୁଦ୍ର ଦଳ ସହ ମେଣ୍ଟ କରିଥିଲେ। କିନ୍ତୁ ଏହା ବିଫଳ ହୋଇଛି। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଅଖିଳେଶ ଅନ୍ୟ ଦଳ ସହ ମେଣ୍ଟ କରିଥିଲେ। କିନ୍ତୁ ପୂର୍ବ ଥର ପରି ଚଳିତ ଥର ମଧ୍ୟ ଅଖିଳେଶଙ୍କ ମେଣ୍ଟ ବିଫଳ ହୋଇଛି। ସପା ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିଥିଲା ଏବଂ ମାୟାବତୀଙ୍କ ବିଏସ୍‌ପି (ବହୁଜନ ସମାଜ ପାର୍ଟି) ସହ ୨୦୧୯ ଲୋକସଭା ନିର୍ବାଚନରେ ମେଣ୍ଟ କରିଥିଲା। କିନ୍ତୁ ୨ଟି ଯାକ ଉଦ୍ୟମ‌ରେ ସପା ବିଫଳ ହୋଇଥିଲା। ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସପା ୫ଟି କ୍ଷୁଦ୍ର ଦଳକୁ ଏକାଠି କରିଥିଲେ ମଧ୍ୟ ବିଫଳ ହୋଇଛି। ସପା ଓମ୍‌ ପ୍ରକାଶ ରାଜଭରଙ୍କ ନେତୃତ୍ବାଧୀନ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) , ଜୟନ୍ତ ଚୌଧୁରୀଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲ୍‌ଡି) , ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି (ପିଏସ୍‌ପି), ଆପ୍‌ନା ଦଳ (କେ) ଏବଂ ମହାନ ଦଳ ସହ ମେଣ୍ଟ କରିଥିଲା। ତେବେ ଆଶାନୁରୂପ ସଫଳତା ମିଳିଲା ନାହିଁ। ଉତ୍ତରପ୍ରଦେଶର ୪୦୩ ଆସନରୁ ସପା ୩୪୫ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆରଏଲ୍‌ଡି ୩୩, ଏସ୍‌ବିଏସ୍‌ପି ୧୯ ଏବଂ ଆପ୍‌ନା ଦଳ (କେ) ୬ ଆସନରେ ପ୍ରାର୍ଥୀ ଦେଇଥିଲା।

କରହାଲ୍‌ରୁ ଅଖିଳେଶ ବିଜୟୀ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ମଧ୍ୟରେ ସପା ସୁପ୍ରିମୋ ଅଖିଳେଶ ଯାଦବ କରହାଲ୍‌ ବିଧାନସଭା ଆସନରୁ ଜିତିବାରେ ସଫଳ ହୋଇଛନ୍ତି। କରହାଲ୍‌ ସପାର ଏକ ଗୁରୁତ୍ବପୂର୍ଣ୍ଣ ପାରମ୍ପରିକ ଆସନ । ଏହା ସବୁବେଳେ ଯାଦବ ପରିବାର ଦଖଲ‌ରେ ରହିଆସିଛି। ଉକ୍ତ ଆସନରେ ଜିତିବା ଉଭୟ ଅଖିଳେଶ ଏବଂ ସପା ପାଇଁ ଗୁରୁତ୍ବପୂର୍ଣ୍ଣ। ଅଖିଳେଶ କରହାଲ୍‌ରୁ ୬୭,୫୦୪ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି।

ସମ୍ବନ୍ଧିତ ଖବର