ନୂପୁର ଶର୍ମାଙ୍କ ବିରୋଧରେ ଅଖିଳେଶଙ୍କ ଟ୍ବିଟ୍‌: କାର୍ଯ୍ୟାନୁଷ୍ଠାନ ଦାବି କଲେ ଜାତୀୟ ମହିଳା କମିସନ

ନୂପୁରଙ୍କୁ ଗିରଫ କର: ମମତା

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ପାଇଁ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଗତ ସପ୍ତାହରେ ସୁପ୍ରିମ୍‌କୋର୍ଟ ମୌଖିକ ଆଦେଶ ଦେବା ପରେ ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନୂପୁରଙ୍କ ସମ୍ପର୍କରେ କୁତ୍ସିତ ଭାଷାରେ ଯେଉଁ ଟ୍ବିଟ୍ କରିଥିଲେ ତାହାକୁ ଗୁରୁତ୍ବର ସହ ନେଇଛନ୍ତି ରାଷ୍ଟ୍ରୀୟ ମହିଳା କମିସନ। ଅଖିଳେଶଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ ଆଇନାନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନ ଅଧ୍ୟକ୍ଷା ରେଖା ଶର୍ମା ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ କହିଛନ୍ତି । ମହିଳା ଆୟୋଗ ଆହୁରି କହିଛନ୍ତି ତଦନ୍ତ ବିଧିବଦ୍ଧ, ନିରପେକ୍ଷ ଓ ସମୟସୀମା ଭିତରେ ହେବା ଦରକାର। କାର୍ଯ୍ୟାନୁଷ୍ଠାନ ତିନି ଦିନ ଭିତରେ ନେବାକୁ ଆୟୋଗ ପକ୍ଷରୁ ଟ୍ବିଟ୍ କରାଯାଇଛି।

ସୁପ୍ରିମ୍‌କୋର୍ଟ ନୂପୁରଙ୍କୁ କ୍ଷମା ମାଗିବାକୁ କହିବା ପରେ ଅଖିଳେଶ ଟ୍ବିଟ୍ କରିଥିଲେ, ‘‘କେବଳ ମୁହଁ ନୁହେଁ ଶରୀର ବି କ୍ଷମା ମାଗିବା ଉଚିତ’’ (ନଟ୍ ଓନ୍‌ଲି ଦ ଫେସ୍ ବଟ୍ ଦ ବଡି ସୁଡ୍ ଅଲ୍‌ସୋ ଆପଲୋଜାଇଜ୍)। ଏଥି ସହ ଅଖିଳେଶ ଆହୁରି ବି ଲେଖିଥିଲେ- ନୂପୁର ସାରା ଦେଶରେ ସଦ୍‌ଭାବ ନଷ୍ଟ କରିବା ସହ ଅସ୍ଥିରତା ସୃ‌ଷ୍ଟିର କାରଣ ହୋଇଥିବାରୁ ତାଙ୍କୁ ଦଣ୍ଡ ବି ମିଳିବା ଉଚିତ। ମହିଳା କମିସନ ଅଧ୍ୟକ୍ଷା ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ଅଖିଳେଶ କୁଆଡ଼େ ଗୋଟାଏ ଦଳର ନେତା ବୋଲାଉଛନ୍ତି। ନୂପୁରଙ୍କୁ ଆକ୍ରମଣ କରିବା ପାଇଁ ଲୋକଙ୍କୁ ଉସ୍‌କାଉଛନ୍ତି। ଉତ୍ତରପ୍ରଦେଶ ଡିଜିପି ୟାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ସୁପ୍ରିମ୍‌କୋର୍ଟ ମଧ୍ୟ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଲେଖିଛନ୍ତି।

ନୂପୁରଙ୍କୁ ଗିରଫ କର: ମମତା
କୋଲକାତା: ନିଆଁ ସହ ଖେଳ ନାହିଁ। ନୂପୁର ଶର୍ମାଙ୍କୁ ଗିରଫ କର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଇଣ୍ଡିଆ ଟୁଡେ କନକ୍ଲେଭ ଇଷ୍ଟରେ ଯୋଗଦେଇ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି। ବିଜେପିକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ସମଗ୍ର ବିବାଦ ଲୋକମାନଙ୍କୁ ବିଭାଜନ କରିବା ପାଇଁ। ଏହା ଏକ ଷଡଯନ୍ତ୍ର – ଘୃଣା ନୀତି, ବିଜେପିର ବିଭାଜନକାରୀ ନୀତି। ସେ ବିଭାଜନକାରୀ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ। ଆମେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧଧର୍ମୀଙ୍କ ପାଇଁ ରହିଛୁ ବୋଲି ମମତା କହିଛନ୍ତି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ କୋଲକାତା ପୁଲିସ ନୂପୁର ଶର୍ମାଙ୍କ ବିରୋଧରେ ନୋଟିସ ଜାରି କରିବାର କିଛି ଦିନ ପରେ ନୂପୁରଙ୍କୁ ଗିରଫ କରିବାକୁ ମମତା ଆହ୍ୱାନ ଜଣାଇଛନ୍ତି। କୋଲକାତା ପୁଲିସ ଏପର୍ଯ୍ୟନ୍ତ ନୂପୁରଙ୍କ ନାମରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକରଣ କରିଛି। ଏହାପୂର୍ବରୁ ନାରକେଳଡଙ୍ଗା ଥାନା ନୂପୁରଙ୍କୁ ଡକାଇ ଜୁନ୍ ୨୦ରେ ହାଜର ହେବାକୁ କୁହାଯାଇଥିଲା। ଆର୍ମହେଷ୍ଟ ଥାନା ମଧ୍ୟ ତାଙ୍କୁ ଜୁନ୍ ୨୫ରେ ହାଜର ହେବାକୁ ଡାକିଥିଲା। ଏହାପରେ କୋଲକାତା ପୁଲିସ ଦ୍ୱାରା ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର