ପାକିସ୍ତାନରେ ନିଷିଦ୍ଧ ହେବ ଟିକ୍ ଟକ୍ !

ନୂଆଦିଲ୍ଲୀ : ପାକିସ୍ତାନରେ ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକ୍ ଟକ୍ ନିଷିଦ୍ଧ ହେବ । ଅଶାଳୀନ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ।

ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ  ଅଶାଳୀନ ଓ ଅଶ୍ଳୀଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍ ଟକକୁ କୁହାଯାଇଥିଲେ ମଧ୍ୟ କମ୍ପାନି ଶୁଣି ନଥିଲା । ଏଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି । ଖୁବ ଶୀଘ୍ର ପାକିସ୍ତାନ ସରକାର ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ।

କିଛି ମାସ ପୂର୍ବେ ଭାରତ ସରକାର ଚୀନର ଏହି ଆପକୁ ନିଷିଦ୍ଧ କରିଥିଲେ । ଲଦାଖରେ ସଂଘର୍ଷ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଗତ ମାସରେ ଆମେରିକା ସରକାର ମଧ୍ୟ ଟିକ ଟକ ଉପରେ କଟକଣା ଲଗାଇଥିଲେ । ଉଭୟ ଭାରତ ଓ ଆମେରିକାର ଚୀନ ସହ ତିକ୍ତତା ରହିଛି । ଏହି କାରଣରୁ ଟିକ୍ ଟକ୍ ଉପରେ ନିଷେଧାଜ୍ଞା ଏକ ସ୍ବାଭାବିକ କାର୍ଯ୍ୟାନୁଷ୍ଠାନ ଥିଲା । କିନ୍ତୁ ଚୀନର ପରମ ମିତ୍ର ଦେଶ ପାକିସ୍ତାନରେ ଟିକଟକ ନିଷିଦ୍ଧ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କିନ୍ତୁ ଚୀନର ଚାପ ଆଗରେ ପାକିସ୍ତାନର ଏହି ନିଷ୍ପତ୍ତି କେତେ ଦିନ ତିଷ୍ଠି ରହିବ ସେ ନେଇ ବିଶେଷଜ୍ଞମାନେ ସନ୍ଦିହାନ ଅଛନ୍ତି ।

ସମ୍ବନ୍ଧିତ ଖବର