ପରଲୋକରେ ପ୍ରସିଦ୍ଧ ମାଲାୟାଲାମ କବି ଅକ୍କିଥମ, ଗତବର୍ଷ ମିଳିଥିଲା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ପରଲୋକରେ ମାଲାୟାଲାମ ଭାଷାର ପ୍ରସିଦ୍ଧ କବି ଅକ୍କିଥମ | ୯୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି | ଗତବର୍ଷ ତାଙ୍କୁ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ସେ କେରଳର ଥ୍ରୀସୁରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୨୬ ମସିହାରେ କେରଳର ପାଲକ୍କଡ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ।

ଅକ୍କିଥମଙ୍କର ସମ୍ପୂର୍ଣ୍ଣ ନାମ ଥିଲା ଅକ୍କିଥମ୍ ଅଚ୍ୟୁତାନ ନାମ୍ବୁଥିରି, କିନ୍ତୁ ସାହିତ୍ୟ ଜଗତରେ ସେ ଅକ୍କିଥମ ନାମରେ ପ୍ରସିଦ୍ଧ ଥିଲେ | ସେ ତାଙ୍କ ରଚନା ପାଇଁ ୧୯୭୩ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ |


ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଥିବା ଅକ୍କିଥମ ମାଲାୟାଲମ୍ ଭାଷାରେ ଅନେକ ପ୍ରସିଦ୍ଧ ପ୍ରବନ୍ଧ, କ୍ଷୁଦ୍ରଗଳ୍ପ ଏବଂ କବିତା ଲେଖିଛନ୍ତି | ତାଙ୍କର ଲେଖା ମଧ୍ୟ ଅନେକ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି। କୁହାଯାଏ ୮ ବର୍ଷ ବୟସରେ ସେ ତାଙ୍କର ପ୍ରଥମ କବିତା ଲେଖିଥିଲେ | ୨୦୧୯ ମସିହାରେ, କବି ଅକ୍କିଥମଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା |

ସମ୍ବନ୍ଧିତ ଖବର