ଇନଫୋସିସରୁ ୨୦୨୨ରେ ୧୨୬ କୋଟି ଲାଭ କରିଛନ୍ତି ସୁନକଙ୍କ ପତ୍ନୀ

ଲଣ୍ଡନ : ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ସମଗ୍ର ବିଶ୍ବରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ତାଙ୍କ ସହ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ବି ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି ସେ ବ୍ରିଟିଶ ରାଜାଙ୍କଠାରୁ ବି ଧନୀ । ତେବେ ସେ କିପରି ହେଲେ ଏତେ ଧନୀ ?ଅକ୍ଷତା ହେଉଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ ଝିଅ । ତାଙ୍କ ପାଖରେ ରହିଛି ଇନଫୋସିସର ୩.୮୯ କୋଟି ସେୟାର ବା ୦.୯୩ ପ୍ରତିଶତ ସେୟାର । ଏସବୁ ସେୟାରର ମୋଟ ମୂଲ୍ୟ ହେବ ୫୯୫୬ କୋଟି ଟଙ୍କା । ଏବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଗୋଟିଏ ଇନଫୋସିସ ସେୟାର ମୂଲ୍ୟ ୧୫୨୭ ଟଙ୍କା ରହିଛି । ଏହି ସେୟାରର ଲାଭାଂଶ (ଡିଭିଡେଣ୍ଡ୍) ବାବଦରେ ସେ ୨୦୨୧-୨୨ରେ ୧୨୬.୬୧ କୋଟି ଟଙ୍କା ବା ୧୫.୩ ନିୟୁତ ଡଲାର ଲାଭ ପାଇଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଇନଫୋସିସ ସେୟାର ପିଛା ୩୨.୫ ଟଙ୍କାର ଲାଭାଂଶ ବା ଡିଭିଡେଣ୍ଡ ଦେଇଥିଲା । ଏଣୁ ଅକ୍ଷତା ଏତେ ପରିମାଣରେ ଲାଭ କରିପାରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନକଙ୍କୁ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ୩ୟ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଆଉ କିଛି ସମୟ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଟେଲିଭିଜନ ଭାଷଣ ରଖିଛନ୍ତି ସୁନକ । ଏଥିରେ ସେ କହିଛନ୍ତି ଯେ, ଆଗରୁ କେତେକ ଭୁଲ କରାଯାଇଛି ଓ ଦେଶ ଏକ ଆର୍ଥିକ ସଂକଟରେ ରହିଛି ବୋଲି ସେ କହିଛନ୍ତି । ଆଗକୁ କଠିନ ସମୟ ରହିଛି ବୋଲି ସେ ଚେତାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର