ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ମନି ଲଣ୍ଡରିଂ ମାମଲାରେ ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍ ଫଲାହ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଜୱାଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟା ଅଧୀନରେ ଆଜି ଇଡି ଅଲ୍ ଫଲାହ ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। ଅଲ୍ ଫଲାହ ପ୍ରତିଷ୍ଠାତା ତଥା ମାଲିକ ସିଦ୍ଦିକିଙ୍କ ବାସଭବନରେ ଆଜି ଚଢ଼ଉ ପରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ଏହାପରେ ଇଡି ତାଙ୍କୁ ପିଏମ୍ଏଲ୍ଏ ଅଧୀନରେ ଗିରଫ କରିଛି। ଇଡି ସୂତ୍ରରୁ ଜଣାପଡ଼ିଛି ଯେ ସିଦ୍ଦିକିଙ୍କ ସହ ଜଡ଼ିତ ଏକାଧିକ କମ୍ପାନିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ତଦନ୍ତ ପ୍ରକ୍ରିୟାରୁ ଜଣାପଡ଼ିଛି। ତେବେ ଏହି ବେଆଇନ ଅର୍ଥକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା କି ନାହିଁ ସେ ଦିଗରେ ଅଧିକ ତଦନ୍ତ ଚାଲିଛି। ଆଜି ଇଡି ଏବଂ ଆଇଟି(ଆୟକର) କର୍ତ୍ତୃପକ୍ଷ ଦିଲ୍ଲୀ ଏବଂ ହରିୟାଣାରେ ଅଲ୍ ଫଲାହ ଗ୍ରୁପ୍ ସହ ଜଡ଼ିତ ୨୫ରୁ ଅଧିକ ଠିକଣାରେ ମିଳିତ ଚଢ଼ଉ କରିଛନ୍ତି। ମଙ୍ଗଳବାର ଭୋର୍ ୫.୧୫ ସମୟରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଅଲ୍ ଫଲାହ ଗ୍ରୁପ୍ର ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରହିଛି।
ହ୍ବାଇଟ କଲାର ଟେରର୍ ମଡ୍ୟୁଲ୍ ସହ ଜଡ଼ିତ ଲାଲକିଲ୍ଲା ବିସ୍ଫୋରଣକାରୀ ଡାକ୍ତର ଉମର ଉନ୍ ନବି ଏବଂ ଆହୁରି ଅନେକ ଅଭିଯୁକ୍ତ ଅଲ୍ ଫଲାହ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଏହି ବିଶ୍ବବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରୁଥିବା ଇଡି ପୂର୍ବରୁ ପିଏମ୍ଏଲ୍ଏ ଅଧୀନରେ ମାମଲା ମଧ୍ୟ ରୁଜୁ କରିଛି। ତଦନ୍ତକାରୀ ଅଧିକାରୀ କହିଛନ୍ତି, ଅଲ୍ ଫଲାହ ଟ୍ରଷ୍ଟ୍ ଏବଂ ବିଶ୍ବବିଦ୍ୟାଳୟର ପ୍ରମୋଟରଙ୍କ ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ମଧ୍ୟ ଭଲଭାବେ ତଦନ୍ତ କରାଯାଉଛି। ଉଲ୍ଲେଖଯୋଗ୍ୟ, ୟୁଜିସି (ୟୁନିଭର୍ସିଟି ଗ୍ରାଣ୍ଟ କମିସନ୍)ର ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଏନେଇ ୨ଟି ଏତଲା ରୁଜୁ କରିବାପରେ ଇଡି କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/fhsfhbxvb-2025-11-19-02-17-23.jpg)