ଇସ୍ରାଏଲ ସୈନ୍ୟଙ୍କ ଗୁଳି ମାଡ଼ରେ ଅଲ-ଜଜିରା ସାମ୍ବାଦିକା ସିରିନ ଅବୁ ଆକଲେ ମୃତ, ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ଇସ୍ରାଏଲ ସୈନ୍ୟଙ୍କ ଗୁଳି ମାଡ଼ରେ ଲୋକପ୍ରିୟ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଅଲ ଜଜିରାର ବରିଷ୍ଠ ସାମ୍ବାଦିକା ସିରିନ ଅବୁ ଆକଲେଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନର ଜେନିନ ଶରଣାର୍ଥୀ କ୍ୟାମ୍ପରେ ସେ ରିପୋର୍ଟିଂ କରିବାକୁ ଯାଇଥିବାବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି ।

ଜେନିନ କ୍ୟାମ୍ପରେ ଇସ୍ରାଏଲୀ ସୈନ୍ୟଙ୍କ ଚଢଉର ରିପୋର୍ଟିଂ କରିବାକୁ ୫୧ ବର୍ଷିୟା ସିରିନ୍  ଯାଇଥିଲେ । ରିପୋର୍ଟିଂ ସମୟରେ ସେ ଏକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିଲେ ବି ତାଙ୍କ ମୁହଁରେ ଗୁଳି ବାଜିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା ବରଂ ତାଙ୍କୁ ଇସ୍ରାଏଲୀ ସୈନ୍ୟମାନେ ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଇସ୍ରାଏଲକୁ ଦାୟୀ କରନ୍ତୁ ବୋଲି ଅଲ-ଜଜିରା ପକ୍ଷରୁ ଜାରି ବୟାନରେ କୁହାଯାଇଛି । ସେଠାରେ ଥିବା ଆଉ ଜଣେ ସାମ୍ବାଦିକ ଅଲି ଅଲ-ସାମୋଦୀଙ୍କ ପିଠିରେ ଗୁଳି ବାଜିଥିବାରୁ ସେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସାମ୍ବାଦିକା ଆକଲେଙ୍କ ହତ୍ୟାକୁ ଗୁରୁତ୍ବର ସହ ନେଇଛି ଅନ୍ତର୍ଜାତୀୟ ସାମ୍ବାଦିକ ମହାସଂଘ (ଆଇଏଫଜେ) । ସାମ୍ବାଦିକମାନଙ୍କୁ ଇସ୍ରାଏଲ ଜାଣିଶୁଣି ଆକ୍ରମଣ କରୁଛି । ଏହି ଘଟଣାକୁ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟକୁ ନିଆଯିବ ବୋଲି ଆଇଏଫଜେ କହିଛି । ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସାରା ବିଶ୍ବରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର