ଇସଲାମାବାଦ: କୋଟି କୋଟି ଟଙ୍କା ମୂଲ୍ୟର ଅଲ୍ କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁସରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ବୁସରା ବିବିଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରୁ ଗିରଫ କରାଯାଇଥିଲା, ଯେଉଁଠାରେ ଖାନ୍ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି। ନିଷ୍ପତ୍ତି ଶୁଣିବା ପାଇଁ ସେ ଉପସ୍ଥିତ ଥିଲେ। ଇମ୍ରାନଙ୍କ ଅଲ୍ କାଦିର ୟୁନିଭର୍ସିଟି ପ୍ରୋଜେକ୍ଟ ଟ୍ରଷ୍ଟରେ କ୍ଷମତାର ଅପବ୍ୟବହାର ଓ ଦୁର୍ନୀତିକୁ ନେଇ ଏହି ମାମଲା ରୁଜୁ ହୋଇଛି। ବିବାଦୀୟ ସାଧାରଣ ନିର୍ବାଚନ ପରେ ଗତ ବର୍ଷ ଫେବ୍ରୁଆରି ୨୭ତାରିଖରେ ଏହି ମାମଲାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୩ ଅଗଷ୍ଟ ମାସରେ ଇମ୍ରାନ ଖାନ୍ଙ୍କୁ ଏକାଧିକ ଆଇନଗତ ମାମଲାରେ ଜେଲ୍ରେ ରଖାଯାଇଥିଲା, ଯାହାକୁ ସେ ‘ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ’ ବୋଲି କହିଛନ୍ତି। ୨୦୨୪ରେ ସେ ସାଇଫର ଓ ଇଦ୍ଦାତ ମାମଲାରେ ଦୋଷମୁକ୍ତ ହୋଇଥିଲେ ମଧ୍ୟ ଡିସେମ୍ବରରେ ତୋଷଖାନା-୨ ମାମଲାରେ ତାଙ୍କୁ ନୂଆ ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନ୍ଏବି) ଦ୍ୱାରା ଅଲ୍ କାଦିର ଟ୍ରଷ୍ଟ ମାମଲା ଦାୟର କରାଯାଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ ପାକିସ୍ତାନ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ବେଆଇନ ହସ୍ତାନ୍ତରରେ ଇମ୍ରାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଅଭିଯୋଗ ହୋଇଛି ଯେ ଇମ୍ରାନ ଖାନ୍ ଓ ବୁସରା ବିବି ୫୦ ବିଲିୟନ ପାକିସ୍ତାନୀ ଟଙ୍କା ବୈଧ କରିବା ବଦଳରେ ‘ବାହାରିଆ ଟାଉନ ଲିମିଟେଡ’ଠାରୁ ବିପୁଳ ଅର୍ଥ ଜମି ପାଇଥିଲେ। ଏନ୍ଏବି ଦାବି କରିଛି ଯେ ତାଙ୍କ କାର୍ଯ୍ୟକୁ ଯୁକ୍ତିଯୁକ୍ତ କରିବା ଏବଂ ଅଧିକ ବିବରଣୀ ପ୍ରଦାନ କରିବା ପାଇଁ ଏକାଧିକ ସୁଯୋଗ ଦେବା ସତ୍ତ୍ୱେ ଖାନ୍ ଜାଣିଶୁଣି କୌଣସି ନା କୌଣସି ବାହାନାରେ ସୂଚନା ଦେବାକୁ ମନା କରିଦେଇଥିଲେ। ଏହି ମାମଲାରେ ସମ୍ପତ୍ତି ବ୍ୟବସାୟୀ ମଲିକ ରିଆଜ ହୁସେନ ଏବଂ ତାଙ୍କ ପୁଅ ଅହମଦ ଅଲି ରିୟାଜ, ମିର୍ଜା ଶେହଜାଦ ଆକବର ଓ ଜୁଲ୍ଫି ବୁଖାରୀ ମଧ୍ୟ ସନ୍ଦିଗ୍ଧ ଅଛନ୍ତି। ସେମାନେ ତଦନ୍ତ ଓ ପରବର୍ତ୍ତୀ କୋର୍ଟ ପ୍ରକ୍ରିୟାରେ ଯୋଗ ଦେଇ ନ ଥିଲେ ଓ ଫେରାର ହୋଇଯାଇଥିଲେ।