ମାତ୍ର ୨୪ ଘଣ୍ଟାରେ ସଂପୂର୍ଣ୍ଣ ମୂଳପୋଛ ହୋଇଗଲା କଶ୍ମୀରର ଏହି ଅଲକାଇଦା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ

ଶ୍ରୀନଗର : କଶ୍ମୀର ଘାଟିରେ ସକ୍ରିୟ ଥିବା ଓ ନିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ଦ୍ବାରା ଅନୁପ୍ରାଣିତ କହୁଥିବା ସଂଗଠନ ଅନସର ଗଜଓ୍ବା-ଉଲ-ହିନ୍ଦ ନାମକ ଆତଙ୍କବାଦୀ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ଏବେ ଏହି ସଂଗଠନର କୌଣସି ସଦସ୍ୟ ଜୀବିତ ନଥିବା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି ।

ଗତ ୨୪ ଘଣ୍ଟାରେ ୨ଟି ପୃଥକ ଏନକାଉଣ୍ଟରରେ ଏହି ସଂଗଠନର ୭ ଜଣ ସଦସ୍ୟ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏହି ସଂଗଠନର ମୁଖ୍ୟ କମାଣ୍ଡର ଇମତିଆଜ ଶାହା ମଧ୍ୟ ରହିଛି । ସେ ପୂର୍ବରୁ ନିହତ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ବୁରହାନ ଓ୍ବାନିର ଭାଇ ବୋଲି ଜଣାପଡ଼ିଛି ।

ପ୍ରଥମ ଏନକାଉଣ୍ଟରରେ ୫ ଜଣ ଓ ୨ୟ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି  ଜମ୍ମୁ ଓ କଶ୍ମୀର ପୁଲିସର ଡିଜି ଦିଲବାଗ ସିଂ କହିଛନ୍ତି । ସେ କହିଛନ୍ତି ଏବେ ଆତଙ୍କବାଦୀ ସଂଗଠନ  ଅନସର ଗଜଓ୍ବା-ଉଲ-ହିନ୍ଦର କୌଣସି ସତ୍ତା ନାହିଁ ଓ ଏହାର ସବୁ ସଦସ୍ୟ ନିପାତ ହୋଇଯାଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଅବଶ୍ୟ ଗତ ୨୦୧୯ ଅକ୍ଟୋବର ମାସରେ ମଧ୍ୟ ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଥିଲା ଯେ ଅନସର ଗଜଓ୍ବା-ଉଲ-ହିନ୍ଦ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । କିନ୍ତୁ ପରେ ଏହା ପୁଣି ଆତ୍ମପ୍ରକାଶ କରିଥିଲା ।

ସମ୍ବନ୍ଧିତ ଖବର