ଜାୱାହିରିର ମୃତ୍ୟୁ ପରେ କିଏ ହେବ ଅଲ-କାଏଦା ନେତା?

ନୂଆଦିଲ୍ଲୀ: ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ନେତା ଆୟମାନ ଅଲ-ଜାୱାହିରିର ମୃତ୍ୟୁ। ଲାଡେନ ପରେ ସମ୍ଭାଳିଥିଲା ଦାୟିତ୍ବ। ଆମେରିକାର ଅଧିକାରୀଙ୍କ ଅନୁଯାୟୀ, ଓସାମା ବିନ୍ ଲାଡେନଙ୍କ ହତ୍ୟା ପରେ ଅଲ-କାଏଦାର ନେତୃତ୍ୱ ନେଇଥିବା ଇଜିପ୍ଟର ସର୍ଜନ ଆୟମାନ ଅଲ-ଜାୱାହିରିଙ୍କର ୭୧ବର୍ଷ ବୟସରେ ଆଫଗାନିସ୍ତାନର କାବୁଲରେ ହୋଇଥିବା ଡ୍ରୋନ ଆକ୍ରମଣରେ ମୃତ୍ୟୁ ଘଟିଛି।

ଏବେ ପ୍ରଶ୍ନ ଉଠିଛି ଯେ ଜାୱାହିରିଙ୍କ ପରେ ଅଲ-କାଏଦାର ପରବର୍ତ୍ତୀ ମୁଖ୍ୟ କିଏ ହେବ? ବରିଷ୍ଠତା ଅନୁଯାୟୀ ପରବର୍ତ୍ତୀ ଧାଡିରେ ସୈଫ ଅଲ-ଆଦେଲ, ଅବଦଲ-ରହମାନ ଅଲ-ମାଗ୍ରେବି, ଅଲ-କାଏଦାର ୟାଜିଦ ମେବ୍ରାକ ଏବଂ ଅଲ-ଶବାବର ଅହମ୍ମଦ ଦିରିଓ ରହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅଲ-କାଏଦା ଉତ୍ତରାଧିକାରୀ ବାଛିବାର କୌଣସି ଯୋଜନା କରିନଥିବା କୁହାଯାଉଛି। ଜାୱାହିରିଙ୍କ ମୃତ୍ୟୁକୁ ତାଲିବାନ ମଧ୍ୟ ନିଶ୍ଚିତ କରିଛି। ଏହା ସହିତ ସେ ଆମେରିକା ପକ୍ଷରୁ କାବୁଲରେ କରାଯାଇଥିବା ଡ୍ରୋନ୍ ଆକ୍ରମଣକୁ ମଧ୍ୟ ନିନ୍ଦା କରିଛି।

ଆମେରିକାରେ ସେପ୍ଟେମ୍ବର ୧୧, ୨୦୦୧ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ ଜାୱାହିରି ଥିଲା ବୋଲି କୁହାଯାଉଛି। ଏହି ଘଟଣା ପରଠାରୁ ଆମେରିକାର ଟାର୍ଗେଟରେ ଥିଲା ଜାୱାହିରି। ଏହାପୂର୍ବରୁ ମଧ୍ୟ ଜାୱାହିରିଙ୍କୁ ହତ୍ୟା କରିଥିବା ନେଇ ଆମେରିକା ଦାବି କରିଥିଲେ ବି ପରେ ଜାୱାହିରି ନିଜେ ଟେପ୍ ଛାଡି ଆମେରିକାର ଦାବିକୁ ଖଣ୍ଡନ କରୁଥିଲା। ହେଲେ ଏବେ ତାଲିବାନ ଜାୱାହିରିର ହତ୍ୟାକୁ ନିଶ୍ଚିତ କରିଥିବାରୁ ଆମେରିକା ଏତେ ବର୍ଷ ପରେ ସଫଳ ହୋଇଥିବା କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧିତ କରି, ଏବେ ନ୍ୟାୟ ମିଳିଥିବା କହିଛନ୍ତି।

ସମ୍ବନ୍ଧିତ ଖବର