ମୃତ ଘୋଷିତ ଅଲ୍‌ କାଏଦା ନେତା ଜୱାହିରିର ଆତ୍ମପ୍ରକାଶ

ନୂଆଦିଲ୍ଲୀ: ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପରେ ଅଲ୍‌ କାଏଦା ନେତା ଆୟମାନ ଅଲ୍‌-ଜୱାହିରି ମୃତ ବୋଲି ଗୁଜବ ଉଠିଥିଲା। କିନ୍ତୁ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭିଡିଓରେ ସେ ଆତ୍ମପ୍ରକାଶ କରିଛି। ଜିହାଦୀ ଗୋଷ୍ଠୀଗୁଡ଼ିକର ଅନ୍‌ଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଆମେରିକାର ଏସ୍‌ଆଇଟିଇ ଗୋଇନ୍ଦା ଗ୍ରୁପ୍‌ର ରିପୋର୍ଟ ଅନୁସାରେ ଏକ ଭିଡିଓ ବାର୍ତ୍ତାରେ ଜୱାହିରି ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ୬୦ ମିନିଟ୍‌ ଧରି ଏହି ଭିଡିଓରେ ସେ ଭାଷଣ ଦେବା ଦେଖାଯାଇଥିଲା। ଏହି ଘଟଣାରୁ ଗତ ଡିସେମ୍ବର ମାସରେ ଜୱାହିରି ମୃତ ବୋଲି ଯେଉଁ ପ୍ରଚାର କରାଯାଇଥିଲା ତାହା ମିଥ୍ୟା ବୋଲି ଜଣାପଡ଼ିଛି।

ଏହି ଭିଡିଓରେ ଜାନୁୟାରୀ ୧ରେ ଅଲ୍‌ କାଏଦା ଗୋଷ୍ଠୀ ସହ ସହବନ୍ଧିତ ସିରିୟାର ହୁରାଜ୍ ଅଲ୍‌-ଦିନ୍ ଆତଙ୍କବାଦୀମାନେ ରୁଷିଆର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲେ ବୋଲି ଜୱାହିରି ପ୍ରକାଶ କରିଥିଲା। ଏହି ଭିଡିଓରେ ତାଲିବାନ ମିଡ଼ିଆର କ୍ଲିପ୍‌ଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଛି। ଆଫଗାନିସ୍ତାନରେ ତାଲିବାନଙ୍କ ବିଜୟକୁ ସେ ଅଲ୍‌ କାଏଦାର ମଧ୍ୟ ବିଜୟ ବୋଲି ଅଭିହିତ କରିଥିଲେ। ଓସାମା ବିନ୍ ଲାଡେନର ନିଧନ ପରେ ଜୱାହିରି ହେଉଛି ତାଙ୍କର ଉତ୍ତରାଧିକାରୀ। ଲାଡେନଙ୍କ ମୃତ୍ୟୁ ପରେ ସେ ଏପରି ଗୁପ୍ତରେ ରହିଥିଲା ଯେ ଗୋଇନ୍ଦା ସଂସ୍ଥାମାନେ ତାଙ୍କର କୌଣସି ସୁରାକ ପାଉ ନ ଥିଲେ। ଶେଷକୁ ସେ ମରିସାରିଥିବା ଖବର ପ୍ରଚାରିତ ହେଲା। କିନ୍ତୁ ବୈଦ୍ୟୁତିକ ମିଡ଼ିଆରେ ପ୍ରସାରିତ ଉକ୍ତ ଭିଡିଓରୁ ଜୱାହିରି ଅଦ୍ୟାବଧି ଜୀବିତ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର