ଗାଜା: ଗାଜାର ସବୁଠୁ ବଡ଼ ଡାକ୍ତରଖାନା ଅଲ୍-ସିଫା ହସ୍ପିଟାଲର ଏମ୍ଆର୍ଆଇ କୋଠାକୁ ହମାସ୍ ଆତଙ୍କବାଦୀମାନେ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟର ମୁଖ୍ୟାଳୟ ଭାବେ ବ୍ୟବହାର କରୁଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ବାହିନୀ ଏଭଳି ଦାବି କରିଛି। ଡାକ୍ତରଖାନାରେ ବିସ୍ଫୋରକ ସାମଗ୍ରୀ ଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖାଯାଇଛି ବୋଲି ଇସ୍ରାଏଲ ଦାବି କରିଛି। ସାମାଜିକ ଗଣମାଧ୍ୟମରେ ଏ ନେଇ ଭିଡିଓ ପ୍ରସାରିତ ହୋଇଛି। କେବଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ନୁହେଁ ବୈଷୟିକ ଉପକରଣ ମଧ୍ୟ ଏଠାରେ ହମାସ୍ ରଖୁଛି।
ଏମ୍ଆର୍ଆଇ କୋଠରୀରେ ଅସ୍ତ୍ରଶସ୍ତ୍ର
ଷ୍ଟୋର୍ ରୁମରେ ଲୁକ୍କାୟିତ ଅସ୍ତ୍ର ଭଣ୍ଡାର
ହସ୍ପିଟାଲ ତଳେ ସୁଡ଼ଙ୍ଗର ଜାଲ
ଏଭଳି ସ୍ଥିତିରେ ଇସ୍ରାଏଲୀ ପ୍ରତିରକ୍ଷା ବିଭାଗ ଅଲ୍-ଶିଫା ଡାକ୍ତରଖାନା ଉପରେ ଏହାର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ହସ୍ପିଟାଲରେ ପ୍ରାୟ ୨୦୦୦ ବେସାମରିକ ବ୍ୟକ୍ତି ଆଶ୍ରୟ ନେଇଛନ୍ତି। ଗାଜାର ସ୍ବାସ୍ଥ୍ୟ ମନ୍ତ୍ରାଳୟର କହିବାନୁଯାୟୀ, ଇସ୍ରାଏଲୀ ବୁଲଡୋଜର ଏହାର ଦକ୍ଷିଣ ଭାଗରେ ଥିବା ପ୍ରବେଶ ପଥର କିଛିଅଂଶ ନଷ୍ଟ କରିଛି। ତେବେ ଇସ୍ରାଏଲୀ ସେନା ପକ୍ଷରୁ ଜାରି ଭିଡିଓରୁ ଜଣାଯାଇଛି ଯେ ସେନାର ପ୍ରବକ୍ତା ଜୋନାଥନ କନରିକସ୍ ଓ କ୍ୟାମେରାମ୍ୟାନ୍ ହସ୍ପିଟାଲ ଭିତରକୁ ପ୍ରମାଣ ସଂଗ୍ରହ ପାଇଁ ପ୍ରବେଶ କରିଥିଲେ। ହସ୍ପିଟାଲର ଏମଆର୍ଆଇ କୋଠାରେ ସିସିଟିଭି କ୍ୟାମେରାକୁ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲୀ ସେନା ଅଭିଯୋଗ କରିଛି। ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରି ହମାସ ବ୍ୟବସ୍ଥିତ ଭାବେ ଉକ୍ତ ଡାକ୍ତରଖାନାକୁ ସାମରିକ ଅପରେସନ ପାଇଁ ବ୍ୟବହାର କରୁଛି ବୋଲି କନରିକସ୍ କହିଛନ୍ତି। ଏମ୍ଆରଆଇ କୋଠରୀକୁ ସେ ଏବଂ କ୍ୟାମେରାମ୍ୟାନ ପ୍ରବେଶ କରିବା ପରେ ସେଠାରେ ବ୍ୟାଗରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ହୋଇ ରହିଛି। ବ୍ୟାଗ ଭିତରେ ଏକେ-୪୭ ବନ୍ଧୁକ, କାଟ୍ରିଜ୍ ଓ ଗ୍ରିନେଡ୍ ଆଦି ରହିଥିବା ଦେଖିବାକୁ ମିଳିଛି।
ହସ୍ପିଟାଲର ଏକ ଷ୍ଟୋର୍ରୁମରେ ଗୁପ୍ତ ଅସ୍ତ୍ର ଭଣ୍ଡାର ରହିଥିବା ବେଳେ ଏହାର ତଳେ ସୁଡ଼ଙ୍ଗର ଜାଲ ତିଆରି ହୋଇଛି। ଅନ୍ୟ ଡାକ୍ତରଖାନା ଓ ଆମ୍ବୁଲାନ୍ସକୁ ଯେଭଳି ଆତଙ୍କବାଦୀ କାର୍ଯ୍ୟରେ ବ୍ୟବହାର କରାଯାଉଛି ଅଲ-ଶିଫାକୁ ମଧ୍ୟ ସେହଭଳି ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଅଲ୍ ଶିଫାରେ ଚଢ଼ଉ ଅଭିଯାନ ଆଜି ବ୍ୟାପକ ହୋଇଛି।