ଏନକାଉଣ୍ଟର କରିବା ପରେ ଧୁମଧାମରେ ଅପରାଧୀର ଝିଅର ବିବାହ କରାଇଲା ପୁଲିସ, ଜାଣନ୍ତୁ କାରଣ

ଜଲୌନ: ଏନକାଉଣ୍ଟର କରିବା ପରେ ଧୁମଧାମରେ ଅପରାଧୀର ଝିଅର ବିବାହ କରାଇଲା ପୁଲିସ। ଉତ୍ତରପ୍ରଦେଶର ଜଲୌନରେ ଘଟିଛି ଏଭଳି ଘଟଣା। କନେଷ୍ଟେବଳଙ୍କ ହତ୍ୟା ଆରୋପୀ ପୁଲିସ ଗୁଳିରେ ମୃତ୍ୟୁବରଣ କରିବା ପରେ ଅପରାଧୀର ଘରର ଆର୍ଥିକ ଅବସ୍ଥା ଦେଖି ପୁଲିସ ୨ଝିଅଙ୍କ ବିବାହ କରାଇବ ବୋଲି କଥା ଦେଇଥିଲା। ଏବେ ଅପରାଧୀର ବଡ଼ ଝିଅର ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ୟୁପି ପୁଲିସ।

ମିଳିଥିବା ସୂଚନା ମୁତାବକ, ପ୍ରାୟ ବର୍ଷେ ପୂର୍ବେ ୟୁପିର ଓରାଇ ଜିଲ୍ଲାର କୋତୱାଲୀ ପୁଲିସ ଅଧୀନରେ ମୁତୟନ ହୋଇଥିବା କନଷ୍ଟେବଳ ଭେଦଜିତ୍ ସିଂଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣାର ଚାରି ଦିନ ମଧ୍ୟରେ ଜଲୌନ୍ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତ, ରମେଶ ରାଇକୱାର ଏବଂ କଲ୍ଲୁ ଅହିରୱାରର ଏନକାଉଣ୍ଟର କରିଥିଲା। ପରେ ନିହତ ଅପରାଧୀ ରମେଶ ରାଇକୱାରଙ୍କ ପରିବାର ସଦସ୍ୟ ଅତ୍ୟନ୍ତ ଖରାପ ଅବସ୍ଥାରେ ରହୁଥିବା ଦେଖି ପୁଲିସ ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲା। ବିବାହ ପାଇଁ ୨ଝିଅ ଥିବା ଜାଣି ପୁଲିସ ଦୁହିଁଙ୍କ ବିବାହର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହା ଏବେ ପୂରଣ ହୋଇଛି।

ଝିଅର ବିବାହ ଠିକ୍ ହେବା ପରେ ରମେଶଙ୍କ ବିଧବା ପତ୍ନୀ ତାରା ପୁଲିସକୁ ଭେଟିଥିଲେ। ବିବାହ ଠିକ୍ ହୋଇଥିବା ଜାଣି ପୁଲିସ ରମେଶଙ୍କ ବଡ଼ ଝିଅ ଶିବାନୀଙ୍କ ବିବାହର ସମସ୍ତ ବ୍ୟବସ୍ଥା କରିବା ଆରମ୍ଭ କରିଥିଲେ। ବିବାହ ଭୋଜି, ଶିବାନୀଙ୍କୁ ଉପହାର ଆକାରରେ ଦିଆଯିବାକୁ ଥିବା ଜିନିଷ ସବୁ ପାଇଁ ପୁଲିସ ଟଙ୍କା ଆଦାୟ କରିବା ସହ ସାଧାରଣ ଲୋକଙ୍କଠାରୁ ମଧ୍ୟ ସାହାଯ୍ୟ ନେଇଥିଲା।

ସମ୍ବନ୍ଧିତ ଖବର