ହାଇଦ୍ରାବାଦ: ହାଇଦ୍ରାବାଦ ବିଜନେସ ସ୍କୁଲ୍‌ରେ ଦକ୍ଷିଣ ଆଫ୍ରିକାର ଜଣେ ନାଗରିକ ଓମିକ୍ରନ୍‌ର ଉପ ପ୍ରଜାତି ବିଏ.୪ରେ ସଂକ୍ରମିତ ହେବାପରେ ଏବେ ଅନ୍ୟ ଜଣେ ବ୍ୟକ୍ତି ବିଏ.୫ ଉପପ୍ରଜାତିରେ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ କର୍ତ୍ତୃପକ୍ଷ କଡ଼ା ସତର୍କତା ଅବଲମ୍ବନ କରିଛନ୍ତି। ଅନ୍ୟପକ୍ଷେ ସ୍ବାସ୍ଥ୍ୟ ବିଭାଗ ଓମିକ୍ରନ୍‌ର ୨ ଉପପ୍ରଜାତିର ଜିନୋମ ସିକ୍ବେନ୍ସିଂ କରିଛନ୍ତି। ବିଏ.୫ରେ ସଂକ୍ରମିତ ହୋଇଥିବା ରୋଗୀ ହାଇଦ୍ରାବାଦ୍‌ର ଜଣେ ଲିଗାଲ୍‌ କନସଲଟାଣ୍ଟ୍‌ । ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଏବଂ ସେ ଏବେ ଘରେ ଚିକିତ୍ସାଧୀନ ଅଛନ୍ତି। କଣ୍ଟାକ୍ଟ ଟ୍ରେସିଂ ପରେ ଅନ୍ୟ ୨ଟି ନମୁନା ସଂଗ୍ରହ କରାଯାଇଛି। ତେଲେଙ୍ଗାନାରେ ପ୍ରଥମେ ବିଏ.୫ ମାମଲା ଚିହ୍ନଟ ହୋଇଛି ବୋଲି ଅଧିକାରୀମାନେ ଦାବି କରୁଥିଲେ ସୁଦ୍ଧା ଏହି ମାମଲା ପ୍ରଥମେ ଗୁଜରାଟରେ ଚିହ୍ନଟ ହୋଇଥିବା କୁହାଯାଉଛି। ତେବେ ଭାରତରେ ଓମିକ୍ରନ୍‌ର ବିଏ.୪ ଏବଂ ବିଏ.୫ ଉପପ୍ରଜାତି ଚିହ୍ନଟ ହେବାପର କଣ୍ଟାକ୍ଟ‌ ଟ୍ରେସିଂ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କୋଭିଡ୍‌ ୱାର୍କିଂ ଗ୍ରୁପ୍‌ ଏନ୍‌ଟିଏଜିଆଇ ଅଧ୍ୟକ୍ଷ ଡାକ୍ତର ଏନ୍‌କେ ଆରୋରା ଟ୍ରେସିଂକୁ ହିଁ ପ୍ରାଥମିକ ଦେବାକୁ ହେବ ବୋଲି କହିଛନ୍ତି।