ଆଲଜେରିଆ ସାମରିକ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୫୭ ଛୁଇଁଲା

ଆଲଜିଅର୍ସ: ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ହୋଇଥିବା ସାମରିକ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୫୭ରେ ପହଞ୍ଚିଛି ।ଏମାନଙ୍କ ମଧ୍ୟରେ ୧୦ ଜଣ ବିମାନ କର୍ମଚାରୀ ଓ ୨୪୭ ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ସୈନିକ ବା ସେନା କର୍ମଚାରୀ ଥିଲେ। ଏହି ଦୁର୍ଘଟଣାକୁ ଆଲଜେରିଆ ଇତିହାସରେ ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ବୋଲି କୁହାଯାଉଛି ।

ଆଲଜେରିଆର ଜାତୀୟ ସମ୍ବାଦ ଚ୍ୟାନେଲ ଏନାହାର ଟିଭି ଅନୁସାରେ ବୁଧବାର ପୂର୍ବାହ୍ନରେ ଏହି ବିମାନଟି ରାଜଧାନୀ ଆଲଜିଅର୍ସ ନିକଟରେ ଥିବା ବେଚର ବିମାନଘାଟୀରେ ଏହି ଦୁର୍ଘଟଣା ହୋଇଛି । ଏହି ଇଲ୍ୟୁସିନ ଆଇଏଲ-୭୬ ବିମାନଟି ଉଡ଼ାଣ ଭରିବା ବେଳେ ଖସିପଡିଥିଲା । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହା ହୋଇଥିବା ସଂଦେହ କରାଯାଉଛି । ଦୁର୍ଘଟଣାରେ ପ୍ରକୃତ କାରଣ ଜାଣିବା ପାଇଁ ଆଲଜେରିଆର ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ।

ଅନ୍ୟପକ୍ଷରେ ଆଲଜେରିଆର ଜଣେ ଶାସକଦଳ ନେତା କହିଛନ୍ତି ଯେ ଏହି ବିମାନରେ ପୋଲିସାରିଓ ସଂଗଠନର ୨୬ ଜଣ ସଦସ୍ୟ ଥିଲେ । ଏହି ସଂଗଠନ ଆଲଜେରିଆର ପ୍ରଡୋଶୀ ଦେଶ ମରୋକ୍କୋରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଚଳାଇଛି । ଆଜିର ଏହି ଦୁର୍ଘଟଣା ୨୦୦୩ରେ ହୋଇଥିବା ଏୟାର ଆଲଜରୀ ଜେଟ ଦୁର୍ଘଟଣା ପରେ ସର୍ବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ୨୦୦୩ରେ ହୋଇଥିବା ଏହି ଦୁର୍ଘଟଣାରେ ୧୦୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ସେହିପରି ୨୦୧୪ରେ ଆଉ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୭୦ ଜଣ ସାମରିକ ଅଧିକାରୀ ମୃତ୍ୟୁ ବରଣ କରିଥିଲେ ।

୨୦୧୨ ଡିସେମ୍ବରରେ ଆଲଜେରିଆ ସେନାର ଦୁଇଟି ଲଢୁଆ ବିମାନ ଅଭ୍ୟାସ କରୁଥିବାବେଳେ ପରସ୍ପର ସହ ଧକ୍କା ହୋଇଯାଇଥିଲେ । ଏଥିରେ ଉଭୟ ବିମାନର ପାଇଲଟ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର