ଆହ୍ଲାବାଦ: ଗାଈଙ୍କୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବାର ଆବଶ୍ୟକତା ରହିଛି | କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେବା ଉଚିତ | ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ ଏକ ମାମଲାର ଶୁଣାଣିବେଳେ କିଛି ଏଭଳି କହିଛନ୍ତି | କୋର୍ଟ କହିଛନ୍ତି, "ଗାଈ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେଥିପାଇଁ ଗାଈମାନଙ୍କର ସୁରକ୍ଷା ହିନ୍ଦୁମାନଙ୍କର ମୌଳିକ ଅଧିକାରରେ ଅନ୍ତର୍ଭୂକ୍ତ କରାଯିବା ଉଚିତ।" କୋର୍ଟ କହିଛନ୍ତି, “ଆମେ ଆଶା କରୁଛୁ ଯେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଦେଶରେ ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗାଈଙ୍କୁ ସଂରକ୍ଷିତ ଜାତୀୟ ପଶୁ ବୋଲି ଘୋଷଣା କରିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବେ।” ଫେବୃଆରୀ ୧୪ରେ ଜଷ୍ଟିସ୍ ସମିମ ଅହମ୍ମଦଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି | ବାସ୍ତବରେ ଉତ୍ତରପ୍ରଦେଶର ଗୋହତ୍ୟା ଆଇନ, ୧୯୫୫ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା | ଏହି ଵ୍ୟକ୍ତିଜଣକ ଗୋହତ୍ୟା କରି ଏହାର ମାଂସ ବିକ୍ରି କରିଥିବାର ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିଥିଲା |

Advertisment

ଏହି ମାମଲାକୁ ଖାରଜ କରିବାକୁ ବ୍ୟକ୍ତିଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ | ତେବେ ବିଚାରପତି ମାମଲା ଖାରଜ କରିବାକୁ ମନା କରିଦେବା ସହ କୋର୍ଟ କହିଛନ୍ତି ଯେ ଆମେ ଏକ ଧର୍ମନିରପେକ୍ଷ ଦେଶରେ ବାସ କରୁଛୁ ଏବଂ ସମସ୍ତ ଧର୍ମକୁ ସମ୍ମାନ ଦିଆଯିବା ଉଚିତ। ଜଷ୍ଟିସ୍ ସମିମ ଅହମ୍ମଦ କହିଛନ୍ତି ଯେ ହିନ୍ଦୁ ଧର୍ମରେ ଗାଈକୁ ଏକ ଇଶ୍ୱରୀୟ ଉପହାର ବୋଲି ବର୍ଣ୍ଣନା କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ, ଦେବତା ଓ ରାକ୍ଷସଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନ ସମୟରେ ଗାଈଙ୍କର ଉତ୍ପନ୍ନ ହୋଇଥିଲା। ଆଉ ଏହି ଗାଈକୁ ସପ୍ତର୍ଷି ବଶିଷ୍ଠଙ୍କୁ ଦିଆଯାଇଥିଲା | ସେ ଆହୁରି ମଧ୍ୟ କହିଛନ୍ତି, "ଗାଈର ପାଦ ଚାରି ବେଦର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାର କ୍ଷୀର ହେଉଛି ଚାରିଟି ପୁରୁଷାର୍ଥ (ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ) ର ମିଶ୍ରଣ। ବୈଦିକ କାଳରୁ ଗାଈଙ୍କୁ ପୂଜା କରାଯାଏ। ଗାଈଙ୍କ ଗୁରୁତ୍ୱ ମହାଭାରତ ଏବଂ ବେଦରେ ମଧ୍ୟ ଉଲ୍ଲେଖ କରାଯାଇଛି। ଭଗବାନ ରାମଙ୍କୁ ଅନେକ ଗାଈ ମଧ୍ୟ ଉପହାର ଦିଆଯାଇଥିଲା। " ସେ କହିଛନ୍ତି ଯେ ଯିଏ ଗାଈଙ୍କୁ ହତ୍ୟା କରେ ତାଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ନର୍କରେ ଯନ୍ତ୍ରଣା ଭୋଗିବାକୁ ପଡିବ'।