‘ସୁପର ଆର୍ଥ’ ଏଲିଏନ୍‌ଙ୍କ ବାସସ୍ଥଳୀ!

ଟରୋଣ୍ଟୋ: ଏଲିଏନ୍‌କୁ ନେଇ ଚାଲିଥିବା ତର୍କବିତର୍କର ଅତିଶୀଘ୍ର ପରିସମାପ୍ତି ଘଟିପାରେ। ଆମ ସୌର ମଣ୍ଡଳ ଥିବା ଆକାଶ ଗଙ୍ଗା ଛାୟାପଥରେ ଏଭଳି ଏକ ଗ୍ରହର ଆବିଷ୍କାର ହୋଇଛି ଯେଉଁଠି ଜୀବନ ଧାରଣ ସମ୍ଭବ। ଏହି ଗ୍ରହର ନାମ କେ୨-୧୮ବି ରଖାଯାଇଥିବା ବେଳେ ପୃଥିବୀ ଭଳି ଜୀବନଧାରଣ ପାଇଁ ଆବଶ୍ୟକ ସମସ୍ତ ଉପାଦାନ ଏଠାରେ ଭରପୂର ମାତ୍ରାରେ ରହିଛି। ତେଣୁ ଏହାକୁ ‘ସୁପର ଆର୍ଥ ’ ବା ସୁପର ପୃଥିବୀ ବୋଲି ମଧ୍ୟ କୁହାଯାଉଛି। ଏହି ଗ୍ରହଟି ପୃଥିବୀଠାରୁ ୩ ଗୁଣ ବଡ଼ ବୋଲି ଜଣାପଡ଼ିଛି। ତେଣୁ ଏହି ଗ୍ରହରେ ଜୀବନର ସନ୍ଧାନ ମିଳିବା ନେଇ ମଧ୍ୟ ସମ୍ଭାବନା ରହିଛି। ବୈଜ୍ଞାନିକଙ୍କ ମତ ପ୍ରମାଣିତ ହେଲେଏହି ଗ୍ରହର ଜୀବଙ୍କୁ ହିଁ ପୃଥିବୀରେ ଏଲିଏନ୍‌ ଆଖ୍ୟା ଦିଆଯାଉଥିବା ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ।ଏହି ନୂତନ ଗ୍ରହର କକ୍ଷ ପଥରେ ଆଉ ଏକ କ୍ଷୁଦ୍ର ଗ୍ରହ ମଧ୍ୟ ପରିକ୍ରମା କରୁଥିବା ଦେଖା ଦେଇଛି। ‘କେ୨-୧୮ବି’କୁ ଗ୍ରହ ବୋଲି ବିବେଚନା କରାଯାଉଥିବା ବେଳେ ଅନ୍ୟଟି ଏହାର ଉପଗ୍ରହ ହୋଇଥିବା ଆକଳନ କରାଯାଇଛି। ଦୂରକୁ ଇଷତ୍‌ ନାଲି ରଙ୍ଗର ଦେଖାଯାଉଥିବା ଏହି ଦୁଇ ଗ୍ରହ ପୃଥିବୀ ପୃଷ୍ଠରୁ ୧୧୧ ଆଲୋକବର୍ଷ ଦୂରତାରେ ରହିଛନ୍ତି।

କାନାଡ଼ାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ୟୁରୋପୀୟ ଦକ୍ଷିଣ ଗବେଷଣା ସଂସ୍ଥାନ(ଇଏସ୍‌ଓ)ର ସୂଚନା ମୁତାବକ ଏ ବାବଦ ତଥ୍ୟର ଅନୁଧ୍ୟାନ କରିଛନ୍ତି। ୨୦୧୫ ମସିହାରେ କେ୨-୧୮ବି ନାମକ ଏକ ଗ୍ରହର ସନ୍ଧାନ କରିଥିବା ଏହି ଗବେଷଣା ସଂସ୍ଥାର ରିପୋର୍ଟ ଆଧାରରେ ପରୀକ୍ଷାନିରୀକ୍ଷା ପରେ ଜଣାପଡିଛି ଯେ, କେବଳ ଗୋଟିଏ ନୁହେଁ ବରଂ ଉକ୍ତ ସୌର ମଣ୍ଡଳର କକ୍ଷପଥରେ ଦୁଇଟି ଗ୍ରହ ପରିକ୍ରମା କରୁଛନ୍ତି। ଏହି ଗ୍ରହରେ ପୃଥିବୀ ପରି ଭୂଖଣ୍ଡ ରହିଥିବା ବେଳେ ଗ୍ୟାସସ୍ତର ମଧ୍ୟ ରହିଛି। କେବଳ ଏହି ଗ୍ରହରେ ବରଫ ପରିମାଣ ଅଧିକ ଥିବା ଜେମ୍‌ସ େଓ୍ଵବ ସ୍ପେସ୍‌ ଟେଲିସ୍କୋପ୍‌ରେ ଦୃଶ୍ୟମାନ ହେଉଥିବା ଗବେଷକମାନେ ମତବ୍ୟକ୍ତ କରିଛନ୍ତି। ବାୟୁମଣ୍ଡଳୀୟ ପରୀକ୍ଷା ନିରୀକ୍ଷା ପାଇଁ ଏହି ଗ୍ରହ ମହାକାଶ ଗବେଷକଙ୍କ ନିମନ୍ତେ ଏବେ ବେଶ୍‌ ଖୋରାକ୍‌ ଯୋଗାଇବ।

ସମ୍ବନ୍ଧିତ ଖବର