ଆଲିଗଡ଼ ଶିଶୁକନ୍ୟା ହତ୍ୟା ମାମଲା: ଆଉ ୨ ଗିରଫ, ମାମଲା ଲଢ଼ିବାକୁ ମନାକଲେ ଆଇନଜୀବୀ

ଲକ୍ଷ୍ନୌ : ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଆଲିଗଡ଼ ଶିଶୁ ହତ୍ୟା ମାମଲାରେ ଆଜି ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି। ଅଢ଼େଇ ବର୍ଷର ଶିଶୁ କନ୍ୟା ହତ୍ୟା ମାମଲାରେ ପୁଲିସ ଗତକାଲି ୨ ଜଣ ମୁଖ୍ୟ ଅଭିଯୁକ୍ତ ଜାହିଦ ଏବଂ ଅସଲାମ୍‌କୁ ଗିରଫ କରିଥିବାବେଳେ ଆଜି ଜାହିଦ୍‌ର ପତ୍ନୀ ଏବଂ ତା’ ସାନ ଭାଇ ଗିରଫ ହୋଇଛନ୍ତି। ଏହି ବର୍ବର ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବାରୁ ଏବେ ସମସ୍ତ ଆଇନଜୀବୀ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିବାକୁ ମନା କରିଦେଇଛନ୍ତି। ଆଲିଗଡ଼ ବାର୍‌ ଆସୋସିଏସନ୍‌ର ସାଧାରଣ ସଚିବ ଅନୁପ୍‌ କୌଶିକ କହିଛନ୍ତି, ଆମେ ହତ୍ୟାର ଶିକାର ହୋଇଥିବା ଅଢ଼େଇ ବର୍ଷର ଶିଶୁର ପରିବାର ସହ ରହିଛୁ। କୌଣସି ଆଇନଜୀବୀ ଏହି ମାମଲାରେ ଅଭିଯୁକ୍ତ ସପକ୍ଷରେ କୋର୍ଟରେ ହାଜର ହେବେନାହିଁ। ବାହା‌ରୁ ମଧ୍ୟ କୌଣସି ଆଇନଜୀବୀ ଏହି ମାମଲା ଲଢ଼ିବେ ନାହିଁ ଏବଂ ଆମେମାନେ ଶିଶୁକୁ ନ୍ୟାୟ ଦେବାପାଇଁ ଲଢ଼େଇ ଜାରି ରଖିବୁ ବୋଲି କୌଶିକ କହିଛନ୍ତି। ମାତ୍ର ୧୦,୦୦୦ ଟଙ୍କା ପାଇଁ ଅଭିଯୁକ୍ତ ଜାହିଦ ଏବଂ ତାର ସାଙ୍ଗମାନେ ଶିଶୁଟିକୁ ଗଳା ଚିପି ହତ୍ୟା କରିବା ଏବଂ ଏହାପରେ ତା’ର ଦୁଇ ଆଖି ତାଡ଼ିଦେବା ସହ ହାତ କାଟି ଫୋପାଡ଼ି ଦେବା ଖବର ଲୋକଲୋଚନକୁ ଆସିବାପରେ ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଅପରାଧୀମାନଙ୍କୁ ଫାଶୀଦଣ୍ଡ ଦେବାପାଇଁ ଜୋରଦାର ଦାବି ହୋଇଛି।

୫ ବର୍ଷ ତଳେ ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ
ଆଲିଗଡ଼ ଶିଶୁ ହତ୍ୟା ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତ ଗତ ୫ ବର୍ଷ ତଳେ ଏକ ଜଘନ୍ୟ କାଣ୍ଡ ଘଟାଇଥିଲା। ଅଭିଯୁକ୍ତ ନିଜ ଝିଅକୁ ଦୁଷ୍କର୍ମ କରିବା‌ ମାମଲାରେ ଗିରଫ ହୋଇଥିଲା। । କିନ୍ତୁ ପରେ ସେ ଜାମିନରେ ମୁକୁଳିଥିଲା। ତା’ ବିରୋଧରେ ଆଇପିସିର ବିଭିନ୍ନ ଧାରା ଅଧୀନରେ ସମୁଦାୟ ୪ଟି ମାମଲା ଥିଲା ବୋଲି ପୁଲିସ କହିଛି। ତେବେ ଅଭିଯୁକ୍ତର ନାମ ପ୍ରକାଶ କରାଯାଇନି। ନାବାଳିକା ଶିଶୁର ପରିଚୟ ପ୍ରକାଶ ନ କରିବାପାଇଁ ଅଭିଯୁକ୍ତର ନାମ ପ୍ରକାଶ କରାଯାଇ ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର