ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସରକାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତକୁ ନେଇ ଶିକ୍ଷାବିଭାଗ ଚିନ୍ତାରେ ପଡ଼ିଯାଇଛନ୍ତି।  ରାଜ୍ୟସରକାର ପକ୍ଷରୁ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତୀ ଆଣିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ବେ କିଛି ସ୍କୁଲମାନଙ୍କରେ ଶିକ୍ଷକ/ଶିକ୍ଷୟିତ୍ରୀ ମନମୁତାବକ ପିଲାଙ୍କୁ ପାଠପଢ଼ାଉଛନ୍ତି। ଆଲିଗଡ଼ ଜିଲ୍ଲାର ଏକ ସରକାରୀ ସ୍କୁଲ‌ରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବସ୍ଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ଭାଇରାଲ ଭିଡିଓରେ ଆଲିଗଡ଼ର ଧନିପୁର ବ୍ଲକସ୍ଥିତ ଗୋକୁଲପୁର ପ୍ରାଇମେରୀ ସ୍କୁଲରୁ ସାମ୍ନାକୁ ଆସିଛି। ଏଠାରେ ଶ୍ରେଣୀଗୃହ ଭିତରେ ପ୍ରଧାନଶିକ୍ଷୟିତ୍ରୀ ଚଟାଣରେ ଚଟେଇ ବିଛେଇ ‌ଖୁବ ଆରାମରେ ଶୋଇଛନ୍ତି। ଆଉ ଛାତ୍ରୀମାନେ ଜଣକ ପରେ ଜଣେ କରି ତାଙ୍କୁ ହତାପଙ୍ଖାରେ ବିଞ୍ଚୁଛନ୍ତି।’

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଶିକ୍ଷା ଅଧିକାରୀ ଯାଞ୍ଚ କରି ପ୍ରଧାନଶିକ୍ଷୟିତ୍ରୀ ଡିମ୍ପଲ ବନସଲଙ୍କୁ ନିଲମ୍ବନ କରି ଦେଇଛନ୍ତି। ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଯଦି ଏପରି ଶ୍ରେଣୀଗୃହରେ ଶୋଇଛନ୍ତି‌ ତେବେ ସେଠାରେ ଥିବା ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଥିବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ପାଠପଢ଼ାନ୍ତୁ କି ନପଢ଼ାନ୍ତୁ ମାସକୁ ମାସ  ତ ଦରମା ପାଇ ଯାଉଛନ୍ତି। କିନ୍ତୁ ଏମିତି ସ୍କୁଲରେ ପାଠପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ କ’ଣ ହେବ।

ତେବେ ଡିମ୍ପଲ ବନସଲଙ୍କ ଏହା ପ୍ରଥମ ଭିଡିଓ ନୁହେଁ। ଗତବର୍ଷ ସେ ପିଲାଙ୍କୁ ବାଡ଼ିରେ ନିର୍ଧୁମମାଡ଼ ମାରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।