ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଉତ୍ତରପ୍ରଦେଶରେ ୫୧ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିସାରିଥିବା ବେଳେ ଅବଶିଷ୍ଟ ଆସନକୁ ନେଇ କିଛି ଚମକପ୍ରଦ ଘୋଷଣା କରିପାରେ। କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଗାନ୍ଧୀ ପରିବାରର ଗଡ଼ ରାୟବରେଲି ପାଇଁ ଦଳ ସ୍ବତନ୍ତ୍ର ରଣନୀତିରେ ଆଗକୁ ବଢ଼ୁଛି ଏବଂ ସେଠାରୁ ବିଜେପି ନୂପୁର ଶର୍ମାଙ୍କୁ ପ୍ରାର୍ଥୀ କରିପାରେ। ଅନ୍ୟପକ୍ଷରେ ମିରଟ ଆସନରୁ ଖ୍ୟାତନାମା କବି କୁମାର ବିଶ୍ବାସଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ସରଗରମ ଚର୍ଚ୍ଚା ଚାଲିଛି। ଏହା ସହିତ ବ୍ରିଜଭୂଷଣ ଶରଣ ସିଂହଙ୍କ ଟକେଟ କଟିଯାଇପାରେ ବୋଲି ମଧ୍ୟ ଦଳୀୟ ମହଲରେ ଆଲୋଚନା ହେଉଛି।

Advertisment

ସୂଚନାଯୋଗ୍ୟ, ପ୍ରଥମ ତାଲିକାରେ ବିଜେପି ଯେଉଁ ୫୧ ଜଣଙ୍କ ନାମ ଘୋଷଣା କରିଥିଲା ସେଥିରେ ବ୍ରିଜଭୂଷଣ, ବରୁଣ ଗାନ୍ଧୀ, ମେନକା ଗାନ୍ଧୀ ଆଦିଙ୍କ ନାମ ନଥିବାରୁ ସେମାନଙ୍କ ଆସନଗୁଡ଼ିକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ବରୁଣ ଲଗାତାର ବିଜେପି ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଆସୁଥିବା ବେଳେ ଏବେ ଦୁଇ ମାସ ହେଲା ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ତେବେ ବରୁଣଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି କଠୋର ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।