ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ବେଳେ ଏକ ଅପ୍ରୀତିକର ଘଟଣା ଘଟିଥିବା ଜଣାଯାଇଛି। ଆଜି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଚାନ୍ଦିନଚୌକ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଳକା ଲାମ୍ବା ମତଦାନ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ପୁରୁଣା ଦଳ ଆମ ଆଦମୀ ପାର୍ଟି(ଆପ୍)ର ଜଣେ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଦିଲ୍ଲୀର ମଜନୁ କା ଟିଲା ପାଖରେ ଥିବା ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ଅଳକା ଲାମ୍ବା ପହଞ୍ଚିଲେ। ସେହି ସମୟରେ ଆମ୍ ଆଦମି ପାର୍ଟିର ଜଣେ କର୍ମୀ ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ପୁଅଙ୍କ ନାଁରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଳକା ତାଙ୍କୁ ଚାପୁଡ଼ା ମାରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଲିସ୍ ଏଥିରେ ହସ୍ତକ୍ଷେପ କରିଥିଲା।

ଏହି ଘଟଣା ପରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଥାନାରେ ଏତଲା ଦେଇଥିଲେ। ସେ ଦର୍ଶାଇଥିଲେ ଯେ ତାଙ୍କୁ ଆମ୍ ଆଦମି ପାର୍ଟିର କର୍ମୀ ଯେଉଁ ଭାଷାରେ ଗାଳିଗୁଲଜ କରିଛନ୍ତି ,ତାହା ସେ ମୁହଁରେ କହିପାରିବେ ନାହିଁ। ତା’ପରେ ପୁଲିସ୍ ଅଭିଯୁକ୍ତ ଆମ୍ ଆଦମି ପାର୍ଟିର କର୍ମୀଙ୍କୁ ଗିରଫ କରିଥିଲା। କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କୁ ଆମ୍ ଆଦମି ପାର୍ଟିର କର୍ମୀ ଯେଉଁଭଳି ଗାଳିଗୁଲଜ କରିଲେ ତାକୁ ନେଇ କୁମାର ବିଶ୍ବାସ ନିଜର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି।