ଭଙ୍ଗାଯାଇଥିବା ମନ୍ଦିରର ପୁନଃନିର୍ମାଣ ହେବ : ରାଜସ୍ଥାନ ସରକାର

ଅଲଓ୍ବର : ରାଜସ୍ଥାନର ଅଲଓ୍ବର ଜିଲ୍ଲା ରାଜଗଡ଼ଠାରେ ଭଙ୍ଗାଯାଇଥିବା ୩ଟି ମନ୍ଦିରର ପୁନର୍ନିର୍ମାଣ ହେବ ବୋଲି ରାଜସ୍ଥାନ ସରକାର କହିଛନ୍ତି । ମନ୍ଦିର ଭଙ୍ଗାକୁ ନେଇ ରାଜନୀତି ବଢିବାପରେ ରାଜ୍ୟ ସରକାର ଏପରି ସୂଚନା ଦେଇଛନ୍ତି ।

ଗତ ରବିବାର ଦିନ ଅଲଓ୍ବାରର ରାଜଗଡ଼ଠାରେ ୩ଟି ମନ୍ଦିର ଓ କେତେକ ଦୋକାନ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଥିଲା । ଏସବୁ ବେଆଇନ ଭାବେ ନିର୍ମାଣ କରାଯାଇଥିଲା ଓ ଗୋଟିଏ ମନ୍ଦିର ଡ୍ରେନ ଉପରେ ନିର୍ମାଣ କରାଯାଇଥିଲା । ରାସ୍ତା ଚଉଡା କରିବାକୁ ଓ ଜବରଦଖଲମୁକ୍ତ କରିବାକୁ ଏଗୁଡ଼ିକୁ ଭଙ୍ଗାଯାଇଥିଲା । ଲୋକମାନଙ୍କ ସହମତି କ୍ରମେ ମନ୍ଦିରର ବିଗ୍ରହମାନଙ୍କୁ କଢାଯିବା ପରେ ଭଙ୍ଗାଯାଇଥିଲା । ଭଙ୍ଗାଯାଇଥିବା ମନ୍ଦିରଗୁଡ଼ିକୁ ନିର୍ବିବାଦୀୟ ସ୍ଥାନରେ ନିର୍ମାଣ କରାଯିବ ବୋଲି ଅଲଓ୍ବରର ଅତିରିକ୍ତ ଜିଲ୍ଲାପାଳ ସୁନୀତା ପଂକଜ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଙ୍ଗାଯାଇଥିବା ମନ୍ଦିରଗୁଡ଼ିକ ମଧ୍ୟରେ ଏକ ୩୦୦ ବର୍ଷର ଶିବ ମନ୍ଦିର ବି ଥିଲା । ଏହି ମନ୍ଦିର ଭଙ୍ଗାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଏହି ମନ୍ଦିର ଭଙ୍ଗାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବିଜେପି ନେତା ଅମିତ ମାଲବ୍ୟ ଲେଖିଛନ୍ତି ଯେ, ଜାହାଙ୍ଗୀରପୁରୀ ଓ କରୌଲି ରେ ବସ୍ତିଭଙ୍ଗାକୁ ନେଇ ଲୁହ ଗଡ଼ାଉଥିବା କଂଗ୍ରେସ ହିନ୍ଦୁମାନଙ୍କୁ ଆଘାତ ଦେଉଛି-ଏହା କଂଗ୍ରେସର ଧର୍ମନିରପେକ୍ଷତା ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେରି ଅଯଥା ରାଜନୀତି କରୁଛି ବୋଲି କଂଗ୍ରେସ କହିଛି । ଏହି ମନ୍ଦିରଟି ଏକ ବେଆଇନ ସ୍ଥାନରେ ନିର୍ମାଣ ହୋଇଥିଲା ଓ ଏହା ସହରର ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ।

ସମ୍ବନ୍ଧିତ ଖବର