ନୂଆଦିଲ୍ଲୀ: ଗତକାଲି ଜମ୍ମୁ କଶ୍ମୀରରେ ଅପରେସନ ମହାଦେବ ଆରମ୍ଭ କରିଥିଲା ଭାରତୀୟ ସେନା। ଏହି ଅପରେସନ ଅଧୀନରେ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ସେନା। ସଫା ହୋଇଥିଲେ ୩ଆତଙ୍କୀ। ଏହି ସଫଳତା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଏହି ଖବରକୁ ନିଶ୍ଚିତ କରି ସେନାକୁ ପ୍ରଶଂସା କରିଛନ୍ତି।
ଅପରେସନ ସିନ୍ଦୁର ବିତର୍କ ସମୟରେ ଲୋକସଭାରେ ଉଦବୋଧନ ଦେଇ ଅମିିତ୍ ଶାହ କହିଛନ୍ତି ଯେ, "ଗତକାଲି ସେନା, ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନରେ ସୁଲେମାନ, ଅଫଗାନ ଏବଂ ଜିବ୍ରାନ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁଲେମାନ ଜଣେ ଶୀର୍ଷ ଲସ୍କର କମାଣ୍ଡର ଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ପାଖରେ ପହଲଗାମ ଆକ୍ରମଣରେ ତା’ର ସମ୍ପୃକ୍ତିର ପ୍ରମାଣ ଥିଲା, ଯେଉଁଥିରେ ଆମର ୨୬ ଜଣ ନିର୍ଦ୍ଦୋଷ ନାଗରିକ ପ୍ରାଣ ହରାଇଥିଲେ। ଅଫଗାନ ଏବଂ ଜିବ୍ରାନ ମଧ୍ୟ "ଏ-ତାଲିକାଭୁକ୍ତ" ଆତଙ୍କବାଦୀ ଥିଲେ। ପହଲଗାମ୍ ଆକ୍ରମଣ ପରେ ମୁଁ ତୁରନ୍ତ ଶ୍ରୀନଗରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲି। ଆତଙ୍କୀ ଯେମିତି ଭାରତ ଛାଡ଼ି ଯାଇ ନପାରିବେ, ତାହା ନିଶ୍ଚିତ କରିବାକୁ ସେନାକୁ କହିଥିଲି। ସେବେଠୁ ସେନା ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିଥିଲା।"
ସେ ଆହୁରି କହିଛନ୍ତି ଯେ, "ମେ’ ୨୨ରେ, ଇଣ୍ଟେଲିଜେନ୍ସ ବ୍ୟୁରୋକୁ ଡଚିଗାମ (ଶ୍ରୀନଗର ନିକଟବର୍ତ୍ତୀ)ରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା। ଏହା ପରେ ଗୁଇନ୍ଦା ବିଭାବ ଏବଂ ସେନା, ଆତଙ୍କବାଦୀଙ୍କ ଯୋଗାଯୋଗକୁ ବାଧା ଦେବା ପାଇଁ ସ୍ୱତନ୍ତ୍ର ଉପକରଣ ବ୍ୟବହାର କରିଥିଲେ। ୨୨ ଜୁଲାଇରେ, ଡଚିଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନିଶ୍ଚିତ ହେବା ପରେ, ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ଜୁଲାଇ ୨୮ରେ ଆମେ ଆମର ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହେଲୁ।"
ପହଲଗାମ ଆକ୍ରମଣରେ ଏହି ତିନି ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସରକାର କିପରି ନିଶ୍ଚିତ କଲେ ବୋଲି ଜଣାଇ ଗୃହମନ୍ତ୍ରୀ କହିଛନ୍ତି, "ଏହି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କୁ ଏନଆଇଏ ପୂର୍ବରୁ ଗିରଫ କରିଥିଲା। ଗତକାଲି ଯେତେବେଳେ ଆତଙ୍କବାଦୀମାନଙ୍କ ମୃତଦେହ ଶ୍ରୀନଗରକୁ ଅଣାଗଲା, ଆମେ ଆଶ୍ରୟ ଦେଇଥିବା ଲୋକଙ୍କୁ ମୃତଦେହ ଚିହ୍ନଟ କରିବାକୁ କହିଥିଲୁ।"