ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ନିର୍ମାଣାଧୀନ ସିଲ୍କନ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଫସିରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ଜଣ ଅଛନ୍ତି । ଉଦ୍ଧାର ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହରିଦ୍ବାରା ଏମ୍ସ ନିଆଯାଉଛି ।

Advertisment

ଏହି ଉଦ୍ଧାର ଅପରେସନ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ଓ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ଗତ ୧୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅପଡେଟ୍ ନେଉଥିଲେ । ଉଦ୍ଧାର କାର୍ଯ୍ୟ ଉପରେ ପିଏମଓ ନିରନ୍ତର ନଜର ରଖିଥିଲା ।

ଏହି ସଫଳ ଅପରେସନ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ତୋଷ ପ୍ରକାଶ କରିଛନ୍ତି । ଏକ ଟୁଇଟ କରି ସେ ଶ୍ରମିକମାନଙ୍କ  ଧୈର୍ଯ୍ୟକୁ ସଲାମ ଜଣାଇଛନ୍ତି ।

ସେପଟେ ଶ୍ରମିକଙ୍କ ଉଦ୍ଧାର ପରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଉତ୍ତରକାଶୀରେ ଆମର ଶ୍ରମିକ ଭାଇମାନଙ୍କ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିବ।  ସୁଡ଼ଙ୍ଗରେ ଫସି ରହିଥିବା ସହକର୍ମୀମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣଙ୍କ ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି। ମୁଁ ସମସ୍ତଙ୍କ ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।  ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ, ଦୀର୍ଘ ଦିନର ଅପେକ୍ଷା ପରେ ଆମର ଏହି ସହକର୍ମୀମାନେ ଏବେ ନିଜ ପ୍ରିୟଜନଙ୍କୁ ଭେଟିବେ। ଏହି ଚ୍ୟାଲେଞ୍ଜିଂ ସମୟରେ ସମସ୍ତଙ୍କ ପରିବାର ଯେଉଁ ଧୈର୍ଯ୍ୟ ଓ ସାହସ ଦେଖାଇଛନ୍ତି ତାହାର ଯେତେ ପ୍ରସଂଶା କଲେ ବି କମ ହେବ । ମୋଦୀ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିବା ସବୁ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।