ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଶୁକ୍ରବାର କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ୫ଟି ଗ୍ୟାରେଣ୍ଟି ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ। ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି ଯେ ଆମେ ସମସ୍ତ ପାଞ୍ଚଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ। ଚଳିତ ଆର୍ଥିକ ବର୍ଷରେ ସମସ୍ତ ପାଞ୍ଚଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ କରାଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି।
କର୍ଣ୍ଣାଟକରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଯେଉଁ ପାଞ୍ଚଟି ‘ମୁଖ୍ୟ’ ଗ୍ୟାରେଣ୍ଟି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ତାହା ଥିଲା ସମସ୍ତ ପରିବାରକୁ ୨୦୦ ୟୁନିଟ୍ର ମାଗଣା ବିଜୁଳି (ଗୃହ ଜ୍ୟୋତି), ପ୍ରତି ପରିବାରର ମହିଳା ମୁଖିଆ (ଗୃହଲକ୍ଷ୍ମୀ)ଙ୍କୁ ମାସିକ ୨,୦୦୦ ଟଙ୍କାର ଆର୍ଥିକ ସହାୟତା, ବିପିଏଲ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାଗଣାରେ ମିଳିବ ୧୦ କେଜି ଚାଉଳ (ଆନ୍ନା ଭାଗ୍ୟ), ବେକାର ସ୍ନାତକ ଯୁବକମାନଙ୍କ ପାଇଁ ମାସିକ ୩,୦୦୦ ଟଙ୍କା ଏବଂ ବେକାର ଡିପ୍ଲୋମାଧାରୀ (ଉଭୟ ୧୮-୨୫ ବର୍ଷ ବୟସ) ପାଇଁ ୧,୫୦୦ ଟଙ୍କାର (ଯୁବ ନିଧି) ଏବଂ ସାର୍ବଜନୀନ ପରିବହନ ବସ୍ (ଉଚିତା ପ୍ରୟାନ)ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା- ଏସବୁକୁ ଏହି ଆର୍ଥିକ ବର୍ଷରେ ହିଁ କାର୍ଯ୍ୟକାରୀ କରାଯିବ।
କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି ଯେ ଜୁଲାଇ ପହିଲାରୁ ଏହାର କାର୍ଯ୍ୟକାରିତା ( ୨୦୦ ୟୁନିଟ୍ ମାଗଣା ବିଜୁଳି ଗ୍ୟାରେଣ୍ଟି) ଆରମ୍ଭ ହେବ। ଗୋଟିଏ ପରିବାରର ପ୍ରତ୍ୟେକ ମହିଳାଙ୍କୁ ମାସିକ ୨,୦୦୦ ଟଙ୍କାର ପ୍ରତିଶ୍ରୁତି ଦେଉଥିବା ଗୃହଲକ୍ଷ୍ମୀ ଯୋଜନା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ଜୁନ୍ ୧୫ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ହିତାଧିକାରୀଙ୍କୁ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଦାଖଲ କରିବାକୁ ପଡିବ।
ଉଲ୍ଲେଖଯୋଗ୍ୟ, ମେ ୨୦ ତାରିଖରେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ସିଦ୍ଦରମେୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନିର୍ବାଚନ ପୂର୍ବରୁ ଦଳ ଦେଇଥିବା ୫ଟି ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/A5.jpg)