ସିବିଏସ୍‌ଇ ୧୦ମ ପରୀକ୍ଷାରେ ଗୋଟିଏ ସ୍କୁଲ୍‌ର ସମସ୍ତ ୫୧ ପିଲା ଫେଲ୍‌; ସ୍କୁଲ୍‌ରେ ତାଲା ପକାଇଲେ ଗ୍ରାମବାସୀ

ଫରିଦାବାଦ: ପାଲ୍‌ଓ୍ଵାଲ୍‌ ଜିଲ୍ଲାରେ ସିବିଏସ୍‌ଇ ୧୦ମ ପରୀକ୍ଷା ଦେଇଥିବା ଦୀଘୋତ୍‌ ସିନିୟର୍‌ ସେକେଣ୍ଡାରି ସ୍କୁଲ୍‌ର ସମସ୍ତ ୫୧ ଜଣ ପିଲା ଫେଲ୍‌ ହେବା କାରଣରୁ ହରିୟାନା ସରକାର ତଦନ୍ତ ଆରମ୍ଭ କରିଛନ୍ତି।

ଦୀଘୋତ ଗାଁ’ର ସରପଞ୍ଚ ଜିତେନ୍ଦର୍‌ ତନ୍‌ଓ୍ଵାର୍‌ କହନ୍ତି: ୧୦ମ ପରୀକ୍ଷାରେ ସମସ୍ତ ପିଲା ଫେଲ୍‌ ହୋଇ ଗାଁକୁ ବଦନାମ କରିଥିବାରୁ ଆମକୁ ଲାଜ ମାଡୁଛି। ଅତୀତରେ ଆମ ଗାଁ ପିଲାଏ ଅନେକ ପୁରସ୍କାର ପାଇଥିଲେ।

ପ୍ରତିବାଦପୂର୍ବକ ବୁଧବାର ଦିନ ଗ୍ରାମବାସୀ ସ୍କୁଲ୍‌ରେ ତାଲା ଠୁଙ୍କି ଦେଇଥିଲେ। ଗାଁ’ ମୁଖିଆ କହନ୍ତି: ଆମ ସ୍କୁଲ୍‌ରେ ରୁଗ୍‌ଣ୍‌ ଶିକ୍ଷା ବ୍ୟବସ୍ଥା ପ୍ରସଙ୍ଗ ରାଜ୍ୟ ସରକାରଙ୍କୁ କହିଥିଲୁ, କିନ୍ତୁ କିଛି ହେଲା ନାହିଁ।

ପାଲ୍‌ଓ୍ଵାଲ୍‌ ଜିଲ୍ଲା ଶିକ୍ଷା ଅଧିକାରୀ ସୁମନ ନୈନ କହନ୍ତି: ସେ ମାସେ ତଳେ ଯୋଗ ଦେଇଥିବାରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ।

ସେ କହନ୍ତି: ପ୍ରିନ୍‌ସିପାଲ୍‌ ବଦଳିଲେ ସ୍କୁଲ୍‌ରୁ ତାଲା ଫିଟିବ ବୋଲି ଗ୍ରାମବାସୀଏ ରାଜି ହୋଇଛନ୍ତି। ଆମେ ତାଙ୍କୁ ଅସ୍ଥାୟୀ ଭାବେ ସ୍କୁଲ୍‌ରୁ ହଟାଇ ନେଇଛୁ। ତାଙ୍କୁ ବଦଳି କରିବା କ୍ଷମତା ମୋର ନାହିଁ। କାହିଁକି ଗୋଟିଏ ହେଲେ ପିଲା ପାସ୍‌ କଲେ ନାହିଁ ସେ ବିଷୟରେ ତଦନ୍ତ କରିବାକୁ ସରକାର ଆଦେଶ ଦେଇଛନ୍ତି।

ହରିୟାନା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଉପଦେଷ୍ଟା ଦୀପକ ମଙ୍ଗଳ କହନ୍ତି: ଆମେ କାରଣ ଜାଣିବାକୁ ଚାହୁଁଛୁ। ସେହି ଅନୁସାରେ ବ୍ୟବସ୍ଥା ଗ୍ରହଣ କରିବୁ।

ଶିକ୍ଷକମାନଙ୍କ ଦାୟିତ୍ୱହୀନତା ଉପରେ ଦୋଷାରୋପ କରିଛନ୍ତି ଗ୍ରାମବାସୀ। ତନ୍‌ଓ୍ଵାର କହନ୍ତି: ପ୍ରିନ୍‌ସିପାଲ୍‌ ଶୁଣିଲେ ନାହିଁ ଓ ଶିକ୍ଷକମାନେ ତାଙ୍କ କାମ କଲେ ନାହିଁ। ଫଳରେ ଫଳାଫଳ ଲଜ୍ଜାକର ହେଲା।

ସମ୍ବନ୍ଧିତ ଖବର