ସବୁ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ସମସ୍ତ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଟୁଇଟ୍ କରି ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ, ଏକ ନିର୍ଦିଷ୍ଟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କାର ସୁରକ୍ଷାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଭୁଲ ଅନୁଶୀଳନ ଆଧାରରେ ସେହି ଖବରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। କୌଣସି ବ୍ୟାଙ୍କକୁ ତାହାର ବଜାର ପୁଞ୍ଜି ଆଧାରରେ ଦୃଢ଼ କିମ୍ବା ଦୁର୍ବଳ ବୋଲି ବିଚାର କରାଯାଏ ନାହିଁ। ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟ ‘କ୍ୟାପିଟାଲ୍ ଟୁ ରିସ୍କ ୱେଟେଡ୍‌ ଆସେଟ୍‌ (ସିଆର୍‌ଏଆର୍‌) ଆଧାରରେ ବ୍ୟାଙ୍କର ଆର୍ଥିକ ସ୍ଥିତିର ଦୃଢ଼ତା ବିଚାର କରାଯାଏ। ୟେସ୍‌ ବ୍ୟାଙ୍କର ନାମ ଉଲ୍ଲେଖ କରିନଥିଲେ ମଧ୍ୟ ତାହାକୁ ଇଙ୍ଗିତ କରି ରିଜର୍ଭ ବ୍ୟାଙ୍କ ଏହି ଟୁଇଟ୍ କରିଛି। ଏହାର କିଛି ସମୟ ପରେ ଆଉ ଏକ ଟୁଇଟ୍ କରି ରିଜର୍ଭ ବ୍ୟାଙ୍କ ଜଣାଇଛି, ଆମେ ସବୁ ବ୍ୟାଙ୍କ ଉପରେ ନଜର ରଖିଛୁ। ସବୁ ବ୍ୟାଙ୍କରେ ଜର୍ମକାରୀଙ୍କ ଟଙ୍କା ସୁରକ୍ଷିତ ଅଛି। ଜମା ଟଙ୍କାର ସୁରକ୍ଷାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ଦେଶର ସବୁ ବ୍ୟାଙ୍କର ଜମାକାରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣିଅନ ମଧ୍ୟ ସମାନ ଧରଣର ମନ୍ତବ୍ୟ ଦେଇ ଭାରତୀୟ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ ଅଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର