ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ଭିତ୍ତି କରି ଦେଶର ବିଭିନ୍ନ ଥାନାରେ ଦାରା ସେନା ମୁଖ୍ୟ ମୁକେଶ ଜୈନଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫ୍‌ଆଇ୍‌ଆର୍‌ଗୁଡ଼ିକର ଏକତ୍ର ଶୁଣାଣି କଟକରେ ହେବ। ମୁକେଶ ଜୈନଙ୍କ ବିରୋଧରେ ନୂଆଦିଲ୍ଲୀ, ବାଲେଶ୍ବର, ଭଦ୍ରକ ଓ କଟକରେ ମାମଲା ରୁଜୁ କରାଯାଇଥିଲ।। ସମସ୍ତ ମାମଲାଗୁଡ଼ିକୁ କଟକ ସ୍ଥାନାନ୍ତର କରାଯିବ। ଆଜି ସୁପ୍ରିମକୋର୍ଟ ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ମୁକେଶ ଜୈନଙ୍କ ଦ୍ବାରା ମାମଲାର ଏକତ୍ର ଶୁଣାଣି ପାଇଁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅପରପକ୍ଷେ, ଖଣ୍ଡପୀଠ ମୁକେଶ ଜୈନଙ୍କ ବିରୋଧରେ ଦାଖଲ କରାଯାଇଥିବା ଏଫ୍‌ଆଇଆର୍‌ଗୁଡ଼ିକୁ ଖାରଜ କରିବା ପାଇଁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ପୂର୍ବରୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ମୁକେଶ ଜୈନଙ୍କ ଦ୍ବାରା ଦାଖଲ ଆବେଦନକୁ ଖାରଜ କରିବା ପାଇଁ କୁହାଯାଇଥିଲା।

ଆଜି ଏହି ମାମଲାରେ ଆବେଦନକାରୀ ମୁକେଶ ଜୈନଙ୍କ ପକ୍ଷରୁ ଆଡଭୋକେଟ୍‌ ଅନ ରେକର୍ଡ ଗୌତମ ଦାଶ, ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ଶିଭାଶିଷ ମିଶ୍ର ଏବଂ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଚିରାଗ ଏମ୍‌. ସୋରାଫ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟରେ ୨୦୨୦ରେ ପୁରୀ ରଥଯାତ୍ରା ଅୟୋଜନ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍‌ଏ ବୋବଡେ ପ୍ରଥମେ ଅନୁମତି ଦେବା ପାଇଁ ମନା କରିଦେଇଥିବାରୁ ସେଥିରେ ଉତ୍‌କ୍ଷିପ୍ତ ହୋଇ ଦାରା ସେନା ମୁଖ୍ୟ ମୁକେଶ ଜୈନ ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ବିରୋଧରେ ସୋସିଆଲ୍‌ ମିଡିଆରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ୍‌ କରିଥିଲେ। ଏହା ପରେ ମୁକେଶଙ୍କ ବିରୋଧରେ ଚାରିଟି ଭିନ୍ନ ଭିନ୍ନ ସ୍ଥାନରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା।