ମୋଦୀଙ୍କୁ ନୋବେଲ ନେଇ ସାରାଦିନ ଚର୍ଚ୍ଚା

ଗୁଜବ: ତୋଜେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାବେଲ ଶାନ୍ତି ପୁରସ୍କାର ପାଇଁ ବଡ଼ ଦାବିଦାର ବୋଲି ଗଣମାଧ୍ୟମରେ ଆଜି ସାରାଦିନ ଚର୍ଚ୍ଚା ଚାଲିଥିଲା। ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଚାଲିଛି। ସାରା ଦୁନିଆକୁ ଶାନ୍ତିର ବାର୍ତ୍ତା ଦେଉଥିବା ମୋଦୀଙ୍କ ମୁଣ୍ଡରେ ନରୱେର ନୋବେଲ କମିଟି ନୋବେଲ ଶାନ୍ତି ପୁରସ୍କାର ରୂପକ ସୁନା କଳସ ଢାଳିବାର ସମ୍ଭାବନା ଦେଖାଦେଇଛି। ନୋବେଲ କମିଟିର ଉପମୁଖ୍ୟ ଆସଲେ ତୋଜେ ଏହା କହିଥିବାର ଏକ ଭିଡିଓ ଏବଂ ଟ୍ବିଟ୍ ପ୍ରସାର ହୋଇଥିଲା। ମୋଦୀ ହେଉଛନ୍ତି ଆଜିର ବିଶ୍ବରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି। ସେ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ସବୁଠୁ ବଡ଼ ପ୍ରଶଂସକ ବୋଲି ସେଥିରେ କହିଥିଲେ।

ତୋଜେ ତାଙ୍କ ବିବୃତିରେ କହିଛନ୍ତି, ମୋଦୀ ହେଉଛନ୍ତି ସମ୍ପ୍ରତି ବିଶ୍ବର ସବୁଠୁ ଭରସାଯୋଗ୍ୟ ନେତା ଯାହାଙ୍କର ଦେଶ ଦେଶ ଭିତରେ ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ପ୍ରତିଷ୍ଠା କରିବାର କ୍ଷମତା ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରବର୍ତ୍ତିତ ନୀତି ଯୋଗୁ ଭାରତ ଏକ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି। ଏହା ପୂର୍ବରୁ ନୋବେଲ ଶାନ୍ତି ପାଇଁ ମୋଦୀଙ୍କ ନାମ ଏକାଧିକ ଥର ଚର୍ଚ୍ଚାକୁ ଆସିଛି। ନିଜ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇନେବା ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଆଦି ଅନେକ ପଦକ୍ଷେପ ମୋଦୀ ନେଇଛନ୍ତି।

ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାର ହେବା ପରେ ଏହା ଉପରେ ନିଜେ ତୋଜେ ସ୍ପଷ୍ଣୀକରଣ ରଖିଛନ୍ତି। ସେ କହିଛନ୍ତି ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦୀ ବଡ଼ ଦାବିଦାର ଖବର ମିଛ। ସେ କହିଛନ୍ତି, ‌ ସମ୍ମାନଜନକ ନୋବେଲ କମିଟି ଉପମୁଖ୍ୟ ଭାବେ ନୁହେଁ ବରଂ ଇଣ୍ଟରନ୍ୟାସନାଲ ପିସ୍ ଆଣ୍ଡ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ର ନିର୍ଦ୍ଦେଶକ ଏବଂ ଦିଲ୍ଲୀସ୍ଥିତ ଇଣ୍ଡିଆ ସେଣ୍ଟର ଫାଉଣ୍ଡେସନ (ଆଇସିଏଫ୍‌)ର ବନ୍ଧୁ ଭାବେ ସେ ଭାରତ ଗସ୍ତ କରିଥିଲେ। ମୋଦୀ ନୋବେଲ ପୁରସ୍କାର ପାଇଁ ଦୃଢ଼ ଦାବିଦାର ବୋଲି ଯେଉଁ ଟ୍ିଟ୍ ବ୍ୟାପକ ମାତ୍ରାରେ ପ୍ରସାର ହେଉଛି ତାହା ମିଛ ବୋଲି ତୋଜେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର