ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀର ମହିଳାମାନେ ସହର ଭିତରେ ଟ୍ରେନ୍ ଓ ବସରେ ମାଗଣାରେ ଯାତ୍ରା କରିବେ ବୋଲି ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି କେଜ୍ରିୱାଲ । ଏଥିପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ଉଠାଇବେ ବୋଲି ସେ ଘୋଷଣା କରିଛନ୍ତି । ଏହି ସୁବିଧା ୨ରୁ ୩ମାସ ଭିତରେ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଦିଲ୍ଲୀ ସରକାର ମହିଳାମାନଙ୍କୁ ମେଟ୍ରୋ ଟ୍ରେନ୍ରେ ମାଗଣାରେ ଯାତ୍ରା ସୁବିଧା ଦେବାର ଯୋଜନା କରୁଥିବା ନେଇ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲୋତ୍ ସୂଚନା ଦେଇଥିଲେ।
ଏଥିପାଇଁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ସହିତ ଯୋଗାଯୋଗ କରିଛନ୍ତି ବୋଲି ସେ କହିଥିଲେ। ମହିଳାମାନଙ୍କୁ ନିଃଶୁକ୍ଳ ଯାତ୍ରା ପାଇଁ କିଭଳି ପାସ୍ ବ୍ୟବସ୍ଥା କରାଯିବ ବା ଏହାର ଅନ୍ୟ କୌଣସି ବିକଳ୍ପ ଅଛି,ସେ ବିଷୟରେ ତର୍ଜମା କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଥିଲେ। ଏହା ବାବଦରେ ଦିଲ୍ଲୀ ସରକରଙ୍କ ଉପରେ ଅତିରିକ୍ତ ୧୨୦୦ କୋଟି ଟଙ୍କାର ବୋଝ ପଡ଼ିବ ବୋଲି କୈଳାସ ଗେହଲୋତ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ରାଜ୍ୟ ସରକାର ଦେବେ।ଏଠାରେ ସୂଚନା ଯୋଗ୍ୟ ଯେ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ହେଉଛନ୍ତି ମହିଳା।