ଆମେରିକାର ଫେଡେରାଲ ରିଜର୍ଭ ଉପରେ ସମଗ୍ର ବିଶ୍ବର ଆଖି, ବ୍ୟାଙ୍କ ସଂକଟର ମୁକାବିଲା ପାଇଁ ନେଇପାରେ ବଡ଼ ପଦକ୍ଷେପ

ନ୍ୟୁୟର୍କ : ମାର୍ଚ୍ଚ ୨୨ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ସାବ୍ୟସ୍ତ ହେବାକୁ ଯାଉଛି । ଏହି ଦିନ ଆମେରିକାର ଫେଡେରାଲ ରିଜର୍ଭ (ଫେଡ୍) ବ୍ୟାଙ୍କ ସୁଧ ହାର କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ । ଭାରତୀୟ ସମୟ ଅନୁସାରେ ଫେଡ୍ ରିଜର୍ଭ ବୁଧବାର ରାତିରେ ଏହି ନିଷ୍ପତ୍ତି ଘୋଷଣା କରିବ। ଯଦି ଫେଡ୍ ସୁଧ ହାର ବୃଦ୍ଧି କରେ, ତେବେ ଏହାର ସିଧାସଳଖ ପ୍ରଭାବ ସାରା ବିଶ୍ୱର ଷ୍ଟକ ବଜାର ଉପରେ ପଡିବ ଏବଂ ଭାରତୀୟ ଷ୍ଟକ ବଜାର ମଧ୍ୟ ଏଥିରୁ ଅଛୁଆଁ ରହିବ ନାହିଁ । ଆମେରିକାରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ଯେପରି ଦେବାଳିଆ ହୋଇଛି,  ଏଥର ଫେଡ୍ ପାଇଁ କୌଣସି ନିଷ୍ପତ୍ତି ନେବା ସହଜ ହେବ ନାହିଁ। ଏହାସହିତ ଫେବ୍ରୁଆରିରେ ଆମେରିକାରେ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତ ଉପରେ ରହିଛି ।

ଫେଡ୍ ରିଜର୍ଭ ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରି ପଲିସି ହାରକୁ ୪.୭୫ ପ୍ରତିଶତକୁ ନେଇଯିବାର ସମ୍ଭାବନା ରହିଛି। ଫେଡେରାଲ ରିଜର୍ଭର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ଲିସା ଡି କୁକ୍ ୨୦୨୩ ଜାନୁଆରୀରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ନିକଟରେ କିଛି ସକାରାତ୍ମକ ସଙ୍କେତ ସତ୍ତ୍ୱେ ଆମେରିକାରେ ମୁଦ୍ରାସ୍ଫୀତି ବହୁତ ଅଧିକ ରହିଛି। ଏବଂ ମୁଦ୍ରାସ୍ଫୀତିକୁ ଆମେରିକାର ଦୁଇ ପ୍ରତିଶତ ଲକ୍ଷ୍ୟକୁ ଫେରାଇ ଆଣିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । ସେହିଭଳି ଫେଡ୍ ରିଜର୍ଭ ଅଧ୍ୟକ୍ଷ ଜେରୋମ୍ ପାୱେଲ୍ ମଧ୍ୟ ମାର୍ଚ୍ଚ ୭ ତାରିଖରେ ଏକ ବିବୃତିରେ ସୁଧ ହାର ବୃଦ୍ଧି ନେଇ ସଙ୍କେତ ଦେଇଥିଲେ।

ସମ୍ବନ୍ଧିତ ଖବର